ସୌରଭ ଗାଙ୍ଗୁଲି ବି ମାନିଲେ, ‘ରସଗୋଲା ଓଡ଼ିଶାର’

ଭୁବନେଶ୍ୱର: ରସଗୋଲାର ଉତ୍ପତ୍ତି ନେଇ କିଛି ବର୍ଷ ତଳେ ଓଡ଼ିଶା ଓ ପଶ୍ଚିମବଙ୍ଗ ମୁହାଁମୁହିଁ ହୋଇଥିଲେ । ରସଗୋଲା ଓଡ଼ିଶାର ବୋଲି ସମସ୍ତ ଐତିହାସିକ ପ୍ରମାଣ ଓ ତଥ୍ୟ ରହିଥିଲେ ମଧ୍ୟ ପଶ୍ଚିମବଙ୍ଗ ଏହାକୁ ମାନିନଥିଲା । ବରଂ ରସଗୋଲା ଆମର ବୋଲି ପଶ୍ଚିମବଙ୍ଗ ଦାବି କରିଥିଲା । ହେଲେ ଏବେ ପଶ୍ଚିମବଙ୍ଗର ହିଁ ଜଣେ ଖ୍ୟାତନାମା ବ୍ୟକ୍ତି ରସଗୋଲାର ଉତ୍ପତ୍ତି ଓଡ଼ିଶାର ବୋଲି ସ୍ବୀକାର କରିଛନ୍ତି । ସେ ଆଉ କେହି ନୁହନ୍ତି ବରଂ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ରସଗୋଲା ଓଡ଼ିଶାର ବୋଲି କହିଛନ୍ତି ଗାଙ୍ଗୁଲି । ତାଙ୍କର ଏକ ଲୋକପ୍ରିୟ ଟିଭି ଶୋ’ ‘ଦାଦାଗିରି’ରେ ଗାଙ୍ଗୁଲି ଏହି କଥା କହିଛନ୍ତି । ଗାଙ୍ଗୁଲି କହିଛନ୍ତି, ” ଲୋକଙ୍କ ଧାରଣା ଯେ ରସଗୋଲା କୋଲକାତାର ଏକ ଲୋକପ୍ରିୟ ମିଷ୍ଟାନ୍ନ । କିନ୍ତୁ ସତକଥା ହେଉଛି ରସଗୋଲା ଓଡ଼ିଶାର । ପୁରୀ ଶ୍ରୀମନ୍ଦିର ସୂତ୍ରରୁ ଏହା ଜଣାପଡ଼ିଛି ବୋଲି ସେ କହିଛନ୍ତି । ଗାଙ୍ଗୁଲି ଏପରି କହୁଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ରସଗୋଲା ଓଡ଼ିଶାର ବୋଲି ଗାଙ୍ଗୁଲି କହୁଥିବା ଭିଡ଼ିଓ ଭାଇରାଲ ହେବା ପରେ ଏହି କିମ୍ବଦନ୍ତୀ କ୍ରିକେଟରଙ୍କୁ ଅନେକ ଲୋକ ଧନ୍ୟବାଦ ଜଣାଇଛନ୍ତି ।

ଓଡ଼ିଶା ପକ୍ଷରୁ ସବୁ ତଥ୍ୟ ପ୍ରମାଣ ସହ ୨୦୧୮ରେ ‘ଓଡ଼ିଶା ରସଗୋଲା’ର ଜିଆଇ ମାନ୍ୟତା ପାଇଁ ଆବେଦନ କରାଯାଇଥିଲା । ଏହାପରେ ୩୦ ଜୁଲାଇ ୨୦୧୯ରେ ‘ଓଡ଼ିଶା ରସଗୋଲା’କୁ ଜିଆଇ ମାନ୍ୟତା ମିଳିଥିଲା ।

Comments are closed.