ଐତିହାସିକ କୀର୍ତ୍ତିରାଜିରେ ଭରା ଖଣ୍ଡପଡ଼ା ଶ୍ରୀଜଗନ୍ନାଥମନ୍ଦିର

ଖଣ୍ଡପଡା ସହର କେବଳ ଆଧିନିକ ନୟାଗଡ଼ ଜିଲ୍ଲା ନୁହେଁ ବରଂ ଅବିଭକ୍ତ ପୁରୀ ଜିଲ୍ଲାର ଏକ ଛୋଟିଆ ସହର l ବିପୁଳ ପ୍ରାକୃତିକ ସମ୍ପଦ, ବଣଭୂମି, ଅନେକ ମନ୍ଦିର ତଥା ଐତିହାସିକ କୀର୍ତ୍ତିରାଜିରେ ଭରା ବ୍ରିଟିଶ ଅମଳର ଅନ୍ୟତମ ଏକ ଗଡ଼ଜାତ ଅଞ୍ଚଳ l

ଓଡ଼ିଶାରେ ଜଗନ୍ନାଥ ସଂସ୍କୃତିକୁ ଆଧାର କରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅନେକ ଗୁଡ଼ିଏ ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଛି l ସେଥି ମଧ୍ୟରେ ଖଣ୍ଡପଡ଼ାର ଜଗନ୍ନାଥ ମନ୍ଦିର ହେଉଛି ଅନ୍ୟତମ l ଏହି ମନ୍ଦିରଟି ଯେତିକି ଭବ୍ୟ ସେତିକି ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଆଉ ଏହା ପଛରେ ଥିବା କାହାଣୀ ମଧ୍ୟ ସେତିକି ରୋଚକ ଓ ରୋମାଞ୍ଚକର l

ଖଣ୍ଡପଡ଼ା ରାଜବାଟୀକୁ ଲାଗି ଖୁବ୍ ବିରାଟ ମନ୍ଦିର ପରିସର l ମନ୍ଦିର ପରିସରରେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ବ୍ୟତୀତ ଦୟାସାଗର ମନ୍ଦିର, କରୁଣା ସାଗର ମନ୍ଦିର, ଗୋପୀନାଥ ମନ୍ଦିର ଓ ମହାଦେବ ଙ୍କ ମନ୍ଦିର ରହିଛି l ଆଉ ଗୋଟେ ଦୁଇଟି ଭଗ୍ନ ଓ ଜରାଜୀର୍ଣ୍ଣ ମନ୍ଦିର ବି ରହିଛି l ଜଗନ୍ନାଥଙ୍କ ମୁଖ୍ୟ ମନ୍ଦିର ବା ବିମାନଟି ପଞ୍ଚରଥ ଶୈଳୀରେ ନିର୍ମିତ ରେଖ ଦେଉଳ ହୋଇଥିବା ସ୍ଥଳେ ଜଗମୋହନ ଓ ନାଟମଣ୍ଡପଟି ପୀଢ଼ ଶୈଳୀରେ ନିର୍ମିତ ଦେଉଳ l

ମନ୍ଦିର ଗର୍ଭଗୃହକୁ ପ୍ରବେଶ କଲାବେଳେ ଜୟ ବିଜୟଙ୍କ ସୁନ୍ଦର ଓ କମନୀୟ ମୂର୍ତ୍ତି ଦୃଷ୍ଟି ଗୋଚର ହୁଏ l ନାଟମଣ୍ଡପ, ଜଗମୋହନ ଓ ମୂଳ ବିମାନର ବାହ୍ୟ ପାର୍ଶ୍ଵରେ ଚମତ୍କାର କୁନ୍ଦ କାରୁକାର୍ଯ୍ୟମାନ ଦୃଷ୍ଟିଗୋଚର ହେଉଥିବାବେଳେ,ଭିତର ପାର୍ଶ୍ୱ କାନ୍ଥରେ କୃଷ୍ଣଲୀଳାର ଖୁବ୍ ସୁନ୍ଦର ଚିତ୍ରକଳାମାନ ଦେଖିବାକୁ ମିଳେ l ଯହିଁରେ ତାଡ଼କା ବଦ୍ଧ, ଗୋପୀଙ୍କ ବସ୍ତ୍ର ହରଣ, କୃଷ୍ଣଙ୍କ ଲବଣୀ ଖିଆ ଆଦି ଅନ୍ୟତମ l ନାଟ ମଣ୍ଡପର ମଧ୍ୟ ଭାଗରେ ଗରୁଡ଼ ସ୍ତମ୍ଭ ରହିଛି ଏବଂ ଗରୁଡ଼ ସ୍ତମ୍ଭର ନିମ୍ନ ଭାଗରେ ମହାବୀର ହନୁମାନଙ୍କ ବିଗ୍ରହ ପୂଜା ପାଉଛନ୍ତି l

ମନ୍ଦିରର ପୂଜାରୀଙ୍କ କହିବାନୁଯାୟୀ, ଜଗନ୍ନାଥଙ୍କ ଏହି ବିଗ୍ରହଟିକୁ ପୁରୀ ଗଜପତି ଖଣ୍ଡପଡ଼ାର ତତ୍କାଳୀନ ରାଜା ଭ୍ରମରବର ସିଂହଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ l ଯାହାକି ଶ୍ରୀମନ୍ଦିର କୋଇଲି ବୈକୁଣ୍ଠରେ ପାତାଳି ହେବା ପାଇଁ ରଖା ଯାଇଥିଲା l କୁହାଯାଏ ଜଗନ୍ନାଥଙ୍କ ଶ୍ରୀବିଗ୍ରହ ଖଣ୍ଡପଡ଼ା ମନ୍ଦିରରେ ପୂଜା ପାଉଥିବା ବେଳେ ବଳଭଦ୍ରଙ୍କ ଶ୍ରୀବିଗ୍ରହ କେନ୍ଦ୍ରାପଡ଼ାର ତୁଳସୀ କ୍ଷେତ୍ରରେ ଓ ଦେବୀ ସୁଭଦ୍ରାଙ୍କ ଶ୍ରୀବିଗ୍ରହ ବାରିପଦା ମନ୍ଦିରରେ ପୂଜା ପାଉଛନ୍ତି l

ଏହା ପଛରେ ଥିବା କାହାଣୀଟି ହେଲା, ଏକଦା ଖଣ୍ଡପଡ଼ାର ରାଜା ଭ୍ରମରବର ସିଂହ ପୁରୀ ଶ୍ରୀମନ୍ଦିର କୁ ଜଗନ୍ନାଥ ଦର୍ଶନ ଉଦ୍ଦେଶ୍ୟରେ ଛତିଶାପାଟରେ ଯାଉଥାନ୍ତି l ଗଜପତିଙ୍କର କିଛି ଚାର ଦେଖିଲେ ଯେ କିଏ ଜଣେ ମଫସଲୀ ରାଜା ଆମ ଗଜପତିଙ୍କ ପରି ଏତେ ଥାଟ୍’ ବାଟ୍’ରେ ଆସୁଛନ୍ତି l ସେମାନେ ଈର୍ଷା ପରାୟଣ ହୋଇ ଖଣ୍ଡପଡ଼ା ରାଜାଙ୍କ ଯାତ୍ରାକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ଏକ ମଦମତ୍ତ ହସ୍ତୀକୁ ଶୃଙ୍ଖଳ ମୁକ୍ତ କରିଦେଲେ l ରାଜାଙ୍କ ଯାତ୍ରାରେ ବିଶୃଙ୍ଖଳା ସୃଷ୍ଟି କରିବା ତାଙ୍କ ମୂଳ ଉଦ୍ଦେଶ୍ୟ ଥିଲା l ହଠାତ ଏକ ହାତୀର ଉପସ୍ଥିତି ଓ ଆକ୍ରମଣ ଦେଖି ରାଜା ତଳକୁ ଓଲ୍ହାଇ ହାତୀଟିକୁ ଆୟତ୍ତ କରିବାକୁ ଚେଷ୍ଟା କଲେ ଏବଂ ପ୍ରତି ଆକ୍ରମଣ କରି ହାତୀର ଦାନ୍ତ ଭାଙ୍ଗି ଦେଇଥିଲେ l

ଏହି ଖବର ଯାଇ ଗଜପତିଙ୍କ ପାଖରେ ପହଞ୍ଚିଲା l ଆଉ ଗଜପତି ମଧ୍ୟ ଏତେ ବଳବାନ ରାଜା କିଏ, ଯିଏ ହାତୀର ଦାନ୍ତ ଭାଙ୍ଗିଦେଲେ, ତାହା ଜାଣିବା ଜିଜ୍ଞାସାରେ ଖଣ୍ଡପଡ଼ାର ରାଜାଙ୍କୁ ଉଆସକୁ ଡାକି ଯଥାମାନ୍ୟ ସମ୍ମାନ କଲେ l ହାତୀକୁ ମର୍ଦ୍ଦନ କରିଥିବାରୁ ଖଣ୍ଡପଡ଼ା ରାଜାଙ୍କୁ ଜଣେ ଶ୍ରେଷ୍ଠ ମର୍ଦ ରୂପେ ବିବେଚନା କରି “ବନମାଳୀ ସିଂହ ମର୍ଦ୍ଦରାଜ ଭ୍ରମରବର ରାୟ” ଉପାଧିରେ ଭୂଷିତ କଲେ l ଏହି ଅବସରରେ କୋଇଲି ବୈକୁଣ୍ଠରେ ପାତାଳି ହେବାକୁ ଥିବା ବ୍ରହ୍ମସ୍ପର୍ଶି ଜଗନ୍ନାଥଙ୍କ ଶ୍ରୀବିଗ୍ରହକୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ l

କୁହାଯାଏ ମନ୍ଦିରଟିର ନିର୍ମାଣ କାର୍ଯ୍ୟ ଆରମ୍ଭ ଠାରୁ ଶେଷ ହେବା ଭିତରେ ପ୍ରାୟ ତିନି ପୁରୁଷ ବିତି ଯାଇଥିଲା l ରାଜା ଭ୍ରମରବର ସିଂହ ଶ୍ରୀବିଗ୍ରହଙ୍କୁ ସତରଶହ ପଚିଶ ଖ୍ରୀଷ୍ଟାବ୍ଦରେ ଆଣି ଏକ ମଣ୍ଡପରେ ରଖିଥିଲେ l ତାଙ୍କ ପରେ ରାଜା ନୀଳାଦ୍ରି ଭ୍ରମରବର, ରାଜା ବୈରାଗୀ ଭ୍ରମରବରଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା l ଏହା ପରେ ଚତୁର୍ଥ ରାଜା କୁଞ୍ଜବିହାରୀ ସିଂହଙ୍କ ସମୟରେ ଖଣ୍ଡପଡ଼ାର ଏହି ଭବ୍ୟ ଦେଉଳଟିର ନିର୍ମାଣ କାର୍ଯ୍ୟ ପରିସମାପ୍ତି ହୋଇଥିଲା l ଆଉ ତାଙ୍କ ସମୟରେ ହିଁ ଜଗନ୍ନାଥଙ୍କ ସେହି ଶ୍ରୀବିଗ୍ରହଟି ମନ୍ଦିରରେ ସ୍ଥାପନ ହୋଇ ପୂଜା ପାଇ ଆସୁଛନ୍ତି l ପୁରୀ ଶ୍ରୀମନ୍ଦିରର ସେବାପୂଜା, ନୀତିକାନ୍ତି ପରି ଏଠାରେ ମଧ୍ୟ ସମସ୍ତ ନୀତିକାନ୍ତି ସୁଚାରୁ ରୂପେ ସମ୍ପନ୍ନ ହୋଇଥାଏ l ବର୍ତ୍ତମାନ ସୁଦ୍ଧା ଖଣ୍ଡପଡ଼ାର ଏହି ଶ୍ରୀ ଜଗନ୍ନାଥ ମନ୍ଦିରଟି ରାଜପରିବାର ଅଧୀନରେ ରହିଛି l

( ସଂଗୃହିତ )

Comments are closed.