ମଦ ଧରପଗଡ ବେଳେ ଗାଁ ଲୋକଙ୍କ ଆକ୍ରମଣରେ ତହସିଲଦାର ଓ ଅବକାରୀ କର୍ମଚାରୀ ଆହତ

ବ୍ରହ୍ମପୁର – ମଦ ଧରିବାକୁ ଯାଇ ମାଡ଼ ଖାଇଲେ ତହସିଲଦାର ଓ ଅବକାରୀ କର୍ମଚାରୀ । ଲୋକେ ସରକାରୀ ଗାଡ଼ିକୁ ଗାଁ ଭିତରକୁ ନ ଛାଡ଼ି ତହସିଲଦାରଙ୍କ ସମେତ ଅନ୍ୟମାନଙ୍କୁ ଘେରି ଯାଇ ନିର୍ଧୂମ ପିଟିଥିବା ଅଭିଯୋଗ ହୋଇଛି । ପୋଲିସ୍‌ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିବା ବେଳେ ତହସିଲଦାରଙ୍କ ସମେତ ୩ ଜଣ ଗୁରୁତର ଅଛନ୍ତି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡା ଥାନା ଅନ୍ତର୍ଗତ ବୁଢ଼ୀ ଘାଟି ଗାଁରେ ଆଜି ଘଟିଛି ଏହି ଅଭାବନୀୟ ଘଟଣା।

ବୁଢ଼ୀ ଘାଟି ଗାଁରେ ବେଆଇନ ମଦ କାରବାର ହେଉଥିବା ସୂଚନା ପାଇ ଆଜି ପାତ୍ରପୁର ତହସିଲଦାରଙ୍କ ସମେତ ଅବକାରୀ ବିଭାଗ ଅଧିକାରୀ ସେଠାକୁ ଯାଉଥିଲେ। ୩ଟି ଗାଡ଼ିରେ ପ୍ରାୟ ୧୦ ଅଧିକାରୀ ଓ କର୍ମଚାରୀ ବୁଢ଼ୀ ଘାଟି ଗାଁକୁ ଯାଉଥିଲେ।

ଏ ସମ୍ପର୍କରେ ସୂଚନା ପାଇ ଗାଁ ଲୋକେ ସେମାନଙ୍କ ଗାଡ଼ି ଅଟକାଇ ଥିଲେ । ଗାଡ଼ିକୁ ଗାଁ ଭିତରକୁ ଛାଡ଼ି ନ ଥିଲେ। ତହସିଲଦାର ଗାଡ଼ିରୁ ଓହ୍ଲାଇ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ୪୦ରୁ ଅଧିକ ଲୋକ ହଠାତ୍‌ ତହସିଲଦାରଙ୍କ ସମେତ ଅନ୍ୟ ସରକାରୀ କର୍ମଚାରୀଙ୍କୁ ପିଟିବା ଆରମ୍ଭ କରିଥିଲେ। ସେମାନଙ୍କ ଆକ୍ରମଣରେ ତହସିଲଦାରଙ୍କ ସମେତ ୨ ଅବକାରୀ କର୍ମଚାରୀ ଆହତ ହୋଇଛନ୍ତି।

ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା। ଆହତ ତହସିଲଦାର ଓ ଏବଂ ଅବକାରୀ ବିଭାଗ କର୍ମଚାରୀଙ୍କୁ ସୁରଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଗାଡ଼ି ଛାଡ଼ି ସମସ୍ତ କର୍ମଚାରୀ ପଳାଇ ଆସିଥିବାରୁ ପୁଲିସ୍‌ ପଛରେ ଯାଇ ଗାଡ଼ି ଉଦ୍ଧାର କରିଛି ।

Comments are closed.