ଆଜି ନୀତି ଆୟୋଗ ବୈଠକ: ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଦୋହରାଇବେ ମୁଖ୍ୟମନ୍ତ୍ରୀ | News Room Odisha

ଆଜି ନୀତି ଆୟୋଗ ବୈଠକ: ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଦୋହରାଇବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ- ଆଜି ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବ । ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉଠାଇବେ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବିକୁ ଦୋହରାଇବେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ନିୟମିତ ବ୍ୟବଧାନରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ଏହାଦ୍ବାରା ରାଜ୍ୟର ଭିତ୍ତିଭୂମି ବହୁଳ ଭାବେ ପ୍ରଭାବିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ବିପର୍ଯ୍ୟୟ ନିରୋଧୀ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ କେନ୍ଦ୍ରୀୟ ସହାୟତା ପ୍ରଦାନ ପ୍ରସ୍ତାବ ପୁଣି ରଖିବେ ମୁଖ୍ୟମନ୍ତ୍ରୀ। ଏହାଛଡ଼ା ରାଜ୍ୟରେ ରେଳପଥର ସାନ୍ଧ୍ରତା ବୃଦ୍ଧି, ଧାର୍ଯ୍ୟ ସମୟରେ ସମସ୍ତ ପ୍ରକଳ୍ପ ଶେଷ କରିବା, ଗ୍ରାମାଞ୍ଚଳ ବ୍ୟାଙ୍କିଙ୍ଗ ସୁବିଧା , ମୋବାଇଲ ଓ ଇଣ୍ଟରନେଟ ସ୍ଥିତିରେ ସୁଧାର ଭଳି ପ୍ରସଙ୍ଗ ବୈଠକରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ ଓ ସଦସ୍ୟମାନେ ଆସି ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରି ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ। ସେମାନଙ୍କ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟରେ ଦୀର୍ଘ ଦିନ ଧରି ପଡିରହିଥିବା ଦାବି ନେଇ ଦୃଷ୍ଟି ଆକର୍ଷଣ କରିଥିଲେ।