“ରାଷ୍ଟ୍ରୀୟ ଚେତନା, ସୁରକ୍ଷା ଓ ବିକାଶ” ବିଷୟରେ ବକ୍ତୃତାମାଳା

ସମ୍ବଲପୁର : ବିଶିଷ୍ଟ ସମାଜସେବୀ ଶ୍ରୀନିବାସ ଅଗ୍ରୱାଲାଙ୍କ ତୃତୀୟ ଶ୍ରାଦ୍ଧୋତ୍ସବ ଅବସରରେ ରାଷ୍ଟ୍ରୀୟ ଚେତନା, ସୁରକ୍ଷା ଓ ବିକାଶ ପ୍ରସଙ୍ଗରେ ଏକ ଜାତୀୟସ୍ତରୀୟ ବକ୍ତୃତାମାଳା ଆୟୋଜିତ ହୋଇଯାଇଛି।

ସମ୍ବଲପୁରର ତପସ୍ବିନୀ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହୋଇଛନ୍ତି। ସଭା ପ୍ରାରମ୍ଭରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ତାଙ୍କର ଅଭିଭାଷଣରେ ସ୍ବର୍ଗତ ଶ୍ରୀନିବାସ ଅଗ୍ରୱାଲଙ୍କ ପ୍ରତି ସ୍ମୃତି ଚାରଣ କରିଥିଲେ । ଧର୍ମ ଓ ସଂସ୍କୃତି ସଶକ୍ତିକରଣ ବଳରେ ରାଷ୍ଟ୍ର ନିର୍ମାଣ ଆଗେଇ ନେବା ପାଇଁ ଆହ୍ବାନ ସହିତ ଜଣେ ବାଗ୍ମୀ ବକ୍ତା, ପ୍ରବୁଦ୍ଧ ସାଂସଦ, ସମ୍ପାଦକ, ଲେଖକ ଓ ଫିଲ୍ମ ନିର୍ମାତା ରୂପେ ପରିଚିତ ତରୁଣ ବିଜୟ ଆଜି ମୁଖ୍ୟ ବକ୍ତା ରୂପେ ଆମନ୍ତ୍ରିତ ରହି ‘ବର୍ତ୍ତମାନ ପରିସ୍ଥିତିରେ ଜାତୀୟ ଚେତନାର ଜାଗରଣ’ ବିଷୟରେ ନିଜ ବକ୍ତବ୍ୟ ପ୍ରସ୍ତୁତ କରିଥିଲେ । ସେ ନିଜ ଅଭିଭାଷଣରେ କହିଲେ ଯେ ଭାରତର ଆତ୍ମା ହେଉଛି ଧର୍ମ କେନ୍ଦ୍ରିକ, ଏଣୁ ଧର୍ମରକ୍ଷାର୍ଥ ପାଇଁ ନିଜର ସର୍ବସ୍ବ ତ୍ୟାଗ ଓ ବଳିଦାନ ପାଇଁ ସଦୈବ ସମର୍ପିତ ରହିଥିବା ବ୍ୟକ୍ତିବିଶେଷ ହିଁ ଚିରସ୍ମରଣୀୟ ହୋଇ ରହନ୍ତି । ପରଦୁଖ ପ୍ରତି ସମବେଦନା ରହିଥିଲେ ହିଁ ସମାଜସେବା କରିହୁଏ ଓ ସ୍ବ: ଶ୍ରୀନିବାସ ଅଗ୍ରୱାଲ ଏହାର ଜୀବନ୍ତ ମୂର୍ତ୍ତି ଥିଲେ, ବୋଲି ସେ କହିଛନ୍ତି । ସ୍ଥାନୀୟ ଜିଲ୍ଲା ପ୍ରେକ୍ଷାଲୟ ‘ତପସ୍ଵିନୀ’ ଠାରେ ରାଧା ଶ୍ରୀନିବାସ ଟ୍ରଷ୍ଟ ପକ୍ଷରୁ “ରାଷ୍ଟ୍ରୀୟ ଚେତନା, ସୁରକ୍ଷା ଓ ବିକାଶ” ବିଷୟବସ୍ତୁ ଉପରେ ଶ୍ରୀନିବାସ ସ୍ମୃତି ବକ୍ତୃତାମାଳା ଆୟୋଜିତ ହୋଇଥିଲା । ଏହି ଅବସରରେ ରାଞ୍ଚି ସ୍ଥିତ ବନବାସୀ କଲ୍ୟାଣ ଆଶ୍ରମର ରାଷ୍ଟ୍ରୀୟ ଉପସଭାପତି ସତ୍ଯେନ୍ଦ୍ର ସିଂହ ଅନ୍ୟତମ ମୁଖ୍ୟ ବକ୍ତା ରୂପେ ଆମନ୍ତ୍ରିତ ରହିଥିଲେ । ରାଷ୍ଟ୍ରୀୟ ସୁରକ୍ଷା ଓ ବିକାଶରେ ବନବାସୀଙ୍କ ଭୂମିକା ଉପରେ ଆଲୋକପାତ କରି ସେ କହିଲେ ଦେଶରେ ୧୨ କୋଟିରୁ ଅଧିକ ବନବାସୀ ରହୁଛନ୍ତି ଓ ସେମାନଙ୍କ ମନରେ ରାଷ୍ଟ୍ରୀୟ ଭାବନା ଓତଃପ୍ରୋତ ଭାବେ ରହିଛି। ରାମାୟଣ ଓ ମହାଭାରତ କାଳରୁ ମୋଗଲ ଓ ଇଙ୍ଗ୍ରେଜମାନଙ୍କ ଶାସନକାଳରେ ମଧ୍ୟ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

ଏହି ଅବସରରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସାମିଲ ରହି ସେ ସ୍ବ: ଅଗ୍ରୱାଲ ଙ୍କ ବିଷୟରେ ଏକ ସଂକ୍ଷିପ୍ତ ଭାଷଣ ପ୍ରସ୍ତୁତ କରିଥିଲେ ।
ଏହି ପ୍ରବୁଦ୍ଧ ସଭାରେ ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପଶ୍ଚିମ ପ୍ରାନ୍ତ ସଂଘ ଚାଳକ ବିପିନ ବିହାରୀ ନନ୍ଦ ଆମନ୍ତ୍ରିତ ରହି ନିଜ ବକ୍ତବ୍ୟରେ ସ୍ବ: ଅଗ୍ରୱାଲ ଙ୍କ ପ୍ରତି ସ୍ମୃତି ଚାରଣ କରିବା ସହିତ ତାଙ୍କ ସହିତ ଅତିବାହିତ ସମୟ ମଧ୍ୟରୁ କିଛି ପ୍ରସ୍ତୁତ କରିଥିଲେ । ଆୟୋଜକ ଅଧ୍ୟକ୍ଷ ଟ୍ରଷ୍ଟ ଅଧ୍ୟକ୍ଷ ଡା ପୁରୁଷୋତ୍ତମ ଅଗ୍ରୱାଲ ଟ୍ରଷ୍ଟର ଇତିହାସ, କାର୍ଯ୍ୟ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଆଲୋକପାତ କରିଥିଲେ । ତାଙ୍କ ନେତୃତ୍ଵରେ ଆମନ୍ତ୍ରିତ ଅତିଥିମାନଙ୍କୁ ଅଙ୍ଗବସ୍ତ୍ର ସହିତ ସମ୍ମାନିତ କରାଯାଇଥିଲା । ଏହି ଅଞ୍ଚଳରେ ସମାଜ ସେବା କ୍ଷେତ୍ରରେ ସକ୍ରିୟ କିଛି ସ୍ବେଛାସେବୀ ଅନୁଷ୍ଠାନମାନଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନୀତ କରାଯାଇଥିଲା ।

Comments are closed.