ଫସଲ ବୀମା ରାଶି ପ୍ରଦାନ ଦାବି, କୃଷକ ସଂଗଠନ ରେଳରୋକ ଆନ୍ଦୋଳନ

ବରଗଡ଼: ମରୁଡ଼ି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା ସହାୟତା ପ୍ରଦାନରେ ଅହେତୁକ ବିଳମ୍ବ ଦାବିରେ ଆଜି ବରଗଡ଼ ରୋଡ଼ ରେଳଷ୍ଟେସନରେ ଶହଶହ ଚାଷୀ ରେଳରୋକ କରିଥିଲେ। ଫଳରେ ଦୀର୍ଘ ୫ଘଣ୍ଟା ଧରି ସମ୍ବଲପୁର- ବଲାଙ୍ଗୀର ରେଳ ଷ୍ଟେସନ ମଧ୍ୟରେ ଚଳାଚଳ କରୁଥିବା ପ୍ରାୟ ୧୦ ଟି ଏକ୍ସପ୍ରେସ ଓ ପାସେଞ୍ଜର ସମେତ ମାଲବାହୀ ଟ୍ରେନ ବିଭିନ୍ନ ଷ୍ଟେସନରେ ଅଟକି ରହିଥିଲା।
ସେହିପରି ରେଳ କର୍ତ୍ତୃପକ୍ଷଙ୍କ ଅପରାଗତା ଯୋଗୁଁ ବଲାଙ୍ଗୀର ପଟୁ ଆସୁଥିବା ଏକ ଏକ୍ସପ୍ରେସ ବରଗଡ଼ ରୋଡ଼ ଷ୍ଟେସନରୁ ୨କିମି ବାହାରେ ୩ ଘଣ୍ଟା ଧରି ଅଟକି ରହିଥିଲା। ଫଳରେ ଯାତ୍ରୀମାନେ ପାଣି ବୁନ୍ଦାଏ ପାଇବାକୁ ଅସମର୍ଥ ହୋଇଥିଲେ। ରାଜବୋରାସମ୍ବର କୃଷକ ସଂଗଠନର ନେତୃତ୍ବରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର କୃଷକ ସଂଗଠନର ଶହ ଶହ ସଦସ୍ୟ ଏହି ରେଳରୋକରେ ସାମିଲ ହୋଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ ବରଗଡ଼ ଜିଲାର ଅନେକ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଏପର୍ଯ୍ୟନ୍ତ ୨୦୨୧ ଖରିଫ ଫସଲକ୍ଷତିର ବୀମା କ୍ଷତିପୂରଣ ମିଳିପାରି ନାହିଁ। ଚାଷୀମାନେ ଗତ ଆଠ ମାସ ଧରି ବିଭିନ୍ନ ପ୍ରକ୍ରିୟାରେ ଏଚଡିଏଫସି ବୀମା କମ୍ପାନୀ ଏବଂ ପ୍ରଶାସନର ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ବେ କିଛି ସୁଫଳ ମିଳି ପାରିଲାନାହିଁ। ଏହାର ପ୍ରତିବାଦରେ ରାଜବୋଡାସମ୍ବର କୃଷକ ସଂଗଠନ ନେତୃତ୍ୱରେ ଆଜି ରେଳରୋକ ଆନ୍ଦୋଳନ କରି ବରଗଡ଼ ରୋଡ ରେଳଷ୍ଟେସନରେଳ ଧାରଣା ଉପରେ ଚାଷୀମାନେ ବସି ରହିଥିଲେ।

Comments are closed.