ବନ୍ୟା ପରିସ୍ଥିତିରେ ଫସଲର ସ୍ଥିତି, ମତ୍ସ୍ୟ ଓ ପ୍ରାଣୀଧନର ସୁରକ୍ଷା ନେଇ ସମୀକ୍ଷା ବୈଠକ

ଭୁବନେଶ୍ୱର: ଚଳିତ ବନ୍ୟାରେ ଖରିଫ ଫସଲର ସ୍ଥିତି ଏବଂ ମତ୍ସ୍ୟ ଓ ପ୍ରାଣୀଧନର ସୁରକ୍ଷା ନିମନ୍ତେ ନିଆଯାଉଥିବା ପଦକ୍ଷେପ ଓ ବିଭିନ୍ନ ଜିଲ୍ଲାରେ ବନ୍ୟାର ସଦ୍ୟତମ ସ୍ଥିତି ସଂପର୍କରେ ଆଜି ଏକ ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ , ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ।

ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ . ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ସମସ୍ତ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକବୃନ୍ଦ ଓ ବରିଷ୍ଠ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିବାବେଳେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ , ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଓ ଜିଲ୍ଲା ମତ୍ସ୍ୟ ଅଧିକାରୀମାନେ ଭିଡ଼ିଓ କନ୍‌ଫରେନିଂ ମାଧ୍ୟମରେ ଯୋଗଦେଇଥିଲେ । ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ଵାରା ଜାରି କରାଯାଇଥିବା ଏନ୍‌ଆର୍‌ଏଫ୍ / ଏସ୍‌ଆର୍‌ଏଫ୍‌ ମାର୍ଗଦର୍ଶିକା ଅନୁସାରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଯୁଗ୍ମ ଫସଲ କ୍ଷୟକ୍ଷତିର ତୁରନ୍ତ ଆକଳନ ଆରମ୍ଭ କରି ଅଗଷ୍ଟ ୨୭ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ ପରିସ୍ଥିତିରେ ଯେଉଁଠାରେ ବନ୍ୟାଜଳ ଛାଡ଼ି ନଥିବ ଏବଂ କ୍ଷୟକ୍ଷତିର ଆକଳନ ସମ୍ଭବ ହେଉନଥିବ ସେ କ୍ଷେତ୍ରରେ ଅଗଷ୍ଟ ୩୦ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ କ୍ଷତିଗ୍ରସ୍ତ ଉଠା ଜଳସେଚନ ପଏଣ୍ଟଗୁଡ଼ିକର ରିପୋର୍ଟ ମଧ୍ୟ ଦାଖଲ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ । ବନ୍ୟା ପ୍ରଭାବିତ ଅଞ୍ଚଳରେ ସଅଳ କିସମର ଧାନ ବିହନର ଆବଶ୍ୟକତା ଏବଂ ଅଣଧାନ ଫସଲ ଯଥା ଡାଲି , ତୈଳବୀଜ , ପନିପରିବା ବିହନର ଆବଶ୍ୟକତା ଆକଳନ କରି ସଂପୃକ୍ତ ନିର୍ଦ୍ଦେଶାଳୟ ଗୁଡ଼ିକୁ ଜଣାଇବା ପାଇଁ କୁହାଯାଇଛି । ବନ୍ୟା ଯୋଗୁଁ କୃଷି ସାମଗ୍ରୀ ବିହନ , ସାର ଏବଂ କୀଟନାଶକ ଔଷଧ ଗଚ୍ଛିତ ରଖୁବାରେ କୌଣସି ଅସୁବିଧା ସଂପର୍କରେ ଅନୁଧ୍ୟାନ କରିବା ପାଇଁ କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବନ୍ୟା ପରିସ୍ଥିତିରେ ଫସଲରେ ରୋଗପୋକ ଲାଗିବାର ଆଶଙ୍କା ଥୁବାରୁ ରୋଗପୋକ ନିରୀକ୍ଷଣ ଓ ନିୟନ୍ତ୍ରଣ ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବାକୁ ବୈଠକରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ମତ୍ସ୍ୟସଂପଦର ସ୍ଥିତି ସଂପର୍କରେ ସମୀକ୍ଷା କରି ମଧୁରଜଳ ଓ କ୍ଷାରିପାଣିର ଜଳାଶୟର ଜଳସ୍ତରକୁ କମ କରିବା ଓ ଜଳାଶୟ ଚାରିପଟେ ନେଟ୍ ଲଗାଇବା ଆଦି ନିମନ୍ତେ ପଦକ୍ଷେପ ନିଆଯାଇଥିବା ବେଳେ ବିଭାଗୀୟ ବରିଷ୍ଠ ଅଧିକାରୀମାନଙ୍କୁ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ପ୍ରେରଣ କରାଯାଇଛି । ସମସ୍ତ ମାଛଧରା ଡଙ୍ଗାଗୁଡ଼ିକୁ ନିରାପଦ ସ୍ଥାନକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯାଇଛି । କଟକ , ଖୋର୍ଦ୍ଧା , କେନ୍ଦ୍ରାପଡ଼ା , ଜଗତସିଂହପୁର ଏବଂ ପୁରୀ ଜିଲ୍ଲାର ଉଭୟ ସରକାରୀ ଓ ବେସରକାରୀ ମତ୍ସ୍ୟ ଫାର୍ମଗୁଡ଼ିକର କ୍ଷୟକ୍ଷତିର ସଠିକ ଆକଳନ କରିବା ପାଇଁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହିସବୁ ଜିଲ୍ଲାର ଜିଲ୍ଲା ମତ୍ସ୍ୟ ଅଧିକାରୀମାନେ ଅଧିକ କ୍ଷତିଗ୍ରସ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରି କ୍ଷୟକ୍ଷତିର ଆକଳନ କରିବା ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି ।

ସମସ୍ତ କ୍ଷୟକ୍ଷତିର ରିପୋର୍ଟ ଅଗଷ୍ଟ ୨୭ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାଣୀଧନର ସୁରକ୍ଷା କ୍ଷେତ୍ରରେ ଚିକିତ୍ସା ଓ ଟୀକାକରଣ ଆଦି କ୍ଷେତ୍ରରେ ୧୫ ଦିନ ପାଇଁ ୟୁଜର୍ସ ଫି ଛାଡ଼ କରାଯାଇଥିବା ବେଳେ ପ୍ରଭାବିତ ଅଞ୍ଚଳରେ ଗୋ-ଖାଦ୍ୟ ଯୋଗାଇ ଦିଆଯାଉଛି । ଅଦ୍ୟାବଧୂ ଓମ୍‌ଫେଡ୍‌ର ଗୋ-ଖାଦ୍ୟ ପ୍ଲାଣ୍ଟରୁ ୮୨୨ , ୬୪ ମେଟ୍ରିକ୍ ଟନ୍‌ ଗୋ-ଖାଦ୍ୟ ଉଦ୍ଦିଷ୍ଟ ବ୍ଲକଗୁଡ଼ିକୁ ଯୋଗାଇ ଦିଆଯାଇଛି ଏବଂ ଅବଶିଷ୍ଟ ୪୧.୨୮ ମେଟ୍ରିକ୍‌ ଟନ୍‌ ଗୋ-ଖାଦ୍ୟ ପ୍ରେରଣ କରାଯାଇଛି । ଅତିରିକ୍ତ ଗୋ-ଖାଦ୍ୟର ବାସ୍ତବିକ ଆକଳନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ଵାଇଁ କ୍ଷେତ୍ର ଅଧିକାରୀମାନଙ୍କୁ କହିଥିଲେ । ବନ୍ୟା ପରବର୍ତ୍ତୀ ପରିସ୍ଥିତିରେ କୌଣସି ରୋଗ ବ୍ୟାପିବାକୁ ଏଡାଇବା ପାଇଁ ବ୍ୟାପକ ଚିକିତ୍ସା ଓ ଟୀକାକରଣ ଶିବିର ଆୟୋଜନ କରିବା ପାଇଁ କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.