ସାର ଯୋଗାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ | News Room Odisha

ସାର ଯୋଗାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର – ଓଡିଶାକୁ ସାର ଯୋଗାଣ ବାବଦରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟକୁ ଆବଶ୍ୟକ ପରିମାଣର ସାର ମିଳୁନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ କେନ୍ଦ୍ର ସାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ନବୀନ । ଚାଷୀମାନେ ସାର ନପାଇ ହନ୍ତସନ୍ତ ହେଉଛନ୍ତି । ଖରିଫ ଋତୁରେ ଡିଏପି ସାର ୩୧ ପ୍ରତିଶତ କମ ମିଳିଛି । ଚାଷୀଙ୍କ ହିତ ପାଇଁ କେନ୍ଦ୍ର ସରକାର ଓଡ଼ିଶାର ମାସିକିଆ କୋଟା ସାର ଯୋଗାଇ ଦେଉ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।

କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଲେଖିଥିବା ଚିଠିରେ ନବୀନ ଲେଖିଛନ୍ତି ଯେ ଓଡ଼ିଶାକୁ ଚାହିଦା ଅନୁସାରେ ଏମଓପି ଏବଂ ଡିଏପି ସାର ମିଳିନି । ଜୁଲାଇ ଶେଷ ସୁଦ୍ଧା ରାଜ୍ୟକୁ ୪୭ ହଜାର ମେଟ୍ରିକ ଟନ ଡିଏପି ଏବଂ ୧ ହଜାର ମେଟ୍ରିକ ଟନ ଏମଓପି ସାର କମ୍ ମିଳିଛି । ରାଜ୍ୟରେ ଏବେ ଖରିଫ ଚାଲିଥିଲା ବେଳେ ଏ ସାରର ଚାହିଦା ଆକାଶଛୁଆଁ ରହିଛି । ଗତବର୍ଷ ରାଜ୍ୟ ୟାସ୍, ଜଓ୍ବାଦ ଓ ଗୁଲାବ ବାତ୍ୟା ପାଇଁ ଚାଷୀକୁଳ ବହୁ କ୍ଷତି ସହିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଏଥର ଭଲ ଫସଲ ପାଇଁ ପାଣିପାଗ ଅନୁକୂଳ ଅଛି । ତେଣୁ ଅଗଷ୍ଟ ଓ ସେପଟେମ୍ବରରେ ଏମଓପି ଏବଂ ଡିଏପି ସାର ଅଧିକ ଦରକାର ହେବ । ଏଣୁ ଯଥାଶୀଘ୍ର ରାଜ୍ୟକୁ ସାର ଯୋଗାଣ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।