ଆଜି ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା, ଶ୍ରୀଜୀଉଙ୍କୁ ଲାଗିହେବ ସପ୍ତପୁରୀ

ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା ବା କୁଶଗ୍ରହଣୀ ଅମାବାସ୍ୟା ନାମରେ ପାଳନ କରାଯାଏ । ଏହି ଅମାବାସ୍ୟା ତିଥିରେ ଓଡ଼ିଆ ଜାତିର ଆରାଧ୍ୟ ଭଗବାନ ଜଗନ୍ନାଥଙ୍କ ଠାରେ ସପ୍ତପୁରୀ ଭୋଗ ଲାଗିଥାଏ । ଶ୍ରୀଜୀଉ ଙ୍କର ଏହିଦିନ ବିଶେଷ ପୂଜାନୀତି ଅନୁଷ୍ଠିତ ହେବା ସହ ସେବାୟତଙ୍କ ଦ୍ୱାରା ଏକ ବଡ଼ ସପ୍ତପୁରୀ (ସାତପୁରୀ) ପ୍ରସ୍ତୁତ କରାଯାଇ ଠାକୁରଙ୍କ ଠାରେ ଭୋଗଲାଗି ହୋଇଥାଏ । ଏହାକୁ ସପ୍ତପୁରୀ ତାଡ଼ ମଧ୍ୟ କୁହାଯାଇଥାଏ ।

ଅଠର ନଳା ନିକଟରେ ଅବସ୍ଥିତ ଅଲାମଚଣ୍ଡୀ ମନ୍ଦିରରୁ ସପ୍ତପୁରୀ ଅମାବାସ୍ୟାରେ ସପ୍ତପୁରୀ ଭୋଗ ପାଇଁ ଆବଶ୍ୟକ ତାଡ଼ ପୂର୍ବଦିନ ଶ୍ରୀମନ୍ଦିର କୁ ଯାଇଥାଏ ।ଭାଦ୍ରବ କୃଷ୍ଣଚତୁର୍ଦ୍ଦଶୀ ଦିନ କୁମ୍ଭାର ବିଶୋଇମାନେ ମୁହଁରେ ବାଘମୁହାଁ ବାନ୍ଧିସାତପୁରୀ ତାଡ଼କୁ ମୁଣ୍ଡରେ ମୁଣ୍ଡାଇ ଘଣ୍ଟ,ଛତା,କାହାଳୀ ସହ ସିଂହଦ୍ୱାର ଦେଇ ଘେନାଣ ନିମନ୍ତେ ଦ୍ୱିପ୍ରହର ଧୂପ ପରେ ଅଲାମଚଣ୍ଡୀ ମନ୍ଦିର ରୁ ଶ୍ରୀମନ୍ଦିର କୁ ସପ୍ତପୁରୀ ପୂଜା ପାଇଁ ନେଇଥାନ୍ତି।ଅମାବାସ୍ୟା ଦିନ ଉକ୍ତ ତାଡରେ ଶ୍ରୀଜୀଉ ମାନଙ୍କୁ ସପ୍ତପୁରୀ ବା (ସାତପୁରୀ) ଅର୍ପଣ କରାଯାଇଥାଏ।

ହିନ୍ଦୁଧର୍ମର ପରମ୍ପରାରେ ଅନେକ ପ୍ରକାର ପୂଜାକାର୍ଯ୍ୟରେ କୁଶ (ଏକ ବିଶେଷ ପ୍ରକାରର ଘାସ, ଯାହାର ଉପଯୋଗ କେବଳ ଧାର୍ମିକ କାର୍ଯ୍ୟରେ ଲାଗିଥାଏ) କରାଯାଇଥାଏ । ପ୍ରତ୍ୟେକ ଗୃହସ୍ଥ ଏହି ଅମାବାସ୍ୟା ଦିନ କୁଶଗୁଡ଼ିକୁ ସଂଗ୍ରହ କରିଥାନ୍ତି । ସୂର୍ଯ୍ୟ ଉଦୟ ସମୟରେ ଉତ୍ତର କିମ୍ବା ପୂର୍ବାଭିମୁଖି ହୋଇ କୁଶ ହାତରୁ ବାହାର କରା ଯାଇଥାଏ । ବର୍ଷତମାମ କରାଯାଇଥିବା ପୂଜା ଏବଂ ଧାର୍ମିକ କାର୍ଯ୍ୟରେ ଉପଯୋଗ ହୋଇଥିବା ଶାସ୍ତ୍ରରେ ଦଶ ପ୍ରକାରର କୁଶ ବିଷୟରେ ବର୍ଣ୍ଣନା କରାଯାଇଛି । “ କୁଶାଃ କାଶ ଯବା ଦୁର୍ବା ଉଶୀରଚ୍ଛ ସକୁନ୍ଦକାଃ । ଗୋଧୂମା ବ୍ରାହ୍ମୟୋ ମୌନ୍‌ଜା ଦଶ ଦର୍ଭାଃ ସବଲ୍ୱଜାଃ” ।

ଅମାବାସ୍ୟା ତିଥିର ସ୍ୱାମୀ ବା ଉପାସିତା ଦେବତା ହେଉଛନ୍ତି ପିତୃଦେବ । ସେଥିପାଇଁ ପିତୃଦେବଙ୍କ ତୃପ୍ତି ନିମନ୍ତେ ଏହି ଦିନ ତର୍ପଣ, ଦାନପୂଣ୍ୟ ଆଦି କରାଯାଏ । ଅମାବାସ୍ୟା ଦିନ ସୋମବାର, ମଙ୍ଗଳବାର ଏବଂ ଗୁରୁବାର ହୋଇଥିଲେ ତଥା ଅନୁରାଧା, ବିଶାଖା ଏବଂ ସ୍ୱାତୀ ନକ୍ଷତ୍ର ଯୋଗ ସୃଷ୍ଟି ହୋଇଥିଲେ, ଏହାକୁ ଅତ୍ୟନ୍ତ ପବିତ୍ର ତିଥି ଭାବେ ଗ୍ରହଣ କରାଯାଇଥାଏ । ଏହାକୁ ଦୃଷ୍ଟିରେ ରଖି କୁଶାଗ୍ରହଣୀ ଅମାବାସ୍ୟା ଦିନ ତୀର୍ଥ, ସ୍ନାନ, ଜପ, ତପ ଏବଂ ବ୍ରତ କରିବାଦ୍ୱାରା ପାପ ଦୂର ହୋଇ ପୂଣ୍ୟ ବଳରେ ଋଣ ଆଦି ପୀଡ଼ାରୁ ମୁକ୍ତି ପ୍ରାପ୍ତ ହୁଏ । ସଂଯମ, ସାଧନା ଏବଂ ତପ ନିମନ୍ତେ ଏହା ଶ୍ରେଷ୍ଠ ଦିନ ବୋଲି ବିଶ୍ୱାସ କରାଯାଏ । ଏହି ବ୍ରତ ବର୍ଷକୁ ଥରେ ଏହିଦିନ କରାଯାଇଥାଏ । ଯଦ୍ୱାରା ମାନସିକ ଶାନ୍ତି ପ୍ରାପ୍ତ ହୁଏ ।

Comments are closed.