ନୂଆଁଖାଇ ପାଇଁ ମାଁ ସମଲେଶ୍ବରୀଙ୍କ ପୀଠକୁ ଆସିଲା ନୂଆଁ ଧାନ | News Room Odisha

ନୂଆଁଖାଇ ପାଇଁ ମାଁ ସମଲେଶ୍ବରୀଙ୍କ ପୀଠକୁ ଆସିଲା ନୂଆଁ ଧାନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପାଇଁ ପ୍ରସ୍ତୁତି ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ମାଁ ସମଲେଶ୍ବରୀଙ୍କ ପୀଠକୁ ଆଜି ନୂଆଁ ଧାନ ଆସି ପହଞ୍ଚିଛି। ଏଥିରୁ ପ୍ରସ୍ତୁତ ନବାନ୍ନ ଆସନ୍ତା ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ମାଁଙ୍କ ନିକଟରେ ଲାଗି ହେବ।

ପ୍ରତିବର୍ଷ ଭଳି ଏବର୍ଷ ମଧ୍ଯ ମାଁଙ୍କ ନିକଟରେ ଲାଗି ହେବାକୁ ଥିବା ନୂଆଁ ଧାନ ଆସି ପହଞ୍ଚିଛି। ସମ୍ବଲପୁର ସହର ଉପକଣ୍ଠ ବଲବସପୁରର ଚାଷୀ ସୁବାସ ବେହେରା ଏହି ସ୍ବତନ୍ତ୍ର ସରିଆ କିସମ ଧାନକୁ ଆଣି ମୁଖ୍ଯ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କୁ ହସ୍ତାନ୍ତର କରିଛନ୍ତି। ବିନା ରାସାୟନିକ ସାର ତଥା କୀଟନାଶକରେ ସଂପୂର୍ଣ୍ଣ ଜୈବିକ ପଦ୍ଧତିରେ ଶ୍ରୀ ବେହେରା ଏହି ଧାନଚାଷ କରିଥାନ୍ତି। ତେବେ, ଏହି ଧାନକୁ କେଣ୍ଡାରୁ ଛିଣ୍ଡାଇ ଘିଅରେ ଭାଜି ସେଥିରେ ଗୁଡ, ମହୁ, ରାଶି ଆଦି ବିଭିନ୍ନ ସାମଗ୍ରୀ ଦେଇ ଶ୍ରୀ ରାୟଙ୍କ ପରିବାର ସ୍ବତନ୍ତ୍ର ଚରୁ ବା ନବାନ୍ନ ପ୍ରସ୍ତୁତ କରିଥାନ୍ତି। ଆଉ ଏହାକୁ ଆସନ୍ତା ଗୁରୁବାର ୧ ତାରିଖ ଦିନ ପୂର୍ବାହ୍ନ ୧୦ଟା ୫୬ରୁ ୧୧ଟା ୧୦ ମିନିଟ ମଧ୍ଯରେ ତୁଳା ଲଗ୍ନରେ ମାଁଙ୍କ ନିକଟରେ ଅର୍ପଣ କରାଯିବ। ଏହାପରେ ପଶ୍ଚିମ ଓଡ଼ିଶାବାସୀ ନିଜ ନିଜ କୂଳ ଦେବାଦେବୀଙ୍କ ନିକଟରେ ନବାନ୍ନ ଅର୍ପଣ କରି ନିଜେ ଭକ୍ଷଣ କରିବେ। ଏଥିପାଇଁ ଘରେ ଘରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି।