ମୌସୁମୀ ନିଷ୍କ୍ରିୟ: ତାପମାତ୍ରା ବୃଦ୍ଧି ସହ ଅସହ୍ୟ ଗୁଳୁଗୁଳି

ଭୁବନେଶ୍ୱର – ରାଜ୍ୟରେ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ମୌସୁମୀ ବ୍ରେକ୍ ଜାରି ରହିଛି। ରାଜ୍ୟରେ ମୌସୁମୀ ବାୟୁ ପ୍ରବାହ ନିଷ୍କ୍ରିୟ ରହିଛି। ଏଥି ଯୋଗୁଁ ବର୍ଷାର ପରିମାଣ ହ୍ରାସ ପାଇଛି ଓ ତାପମାତ୍ରାରେ ବୃଦ୍ଧି ଘଟିଛି।

ସାଧାରଣତଃ ମୌସୁମୀ ନିଷ୍କ୍ରିୟ ରହିଲେ ଆକାଶ ମେଘମୁକ୍ତ ରହୁଛି ଓ ସୂର୍ଯ୍ୟକିରଣ ସିଧାସଳଖ ପୃଥିବୀ ଉପରେ ପଡ଼ୁଛି। ଏହାର ପ୍ରଭାବରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଗୁଳୁଗୁଳି ହେଉଛି। ଅନ୍ୟପଟେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ବାୟୁମଣ୍ଡଳ ଉତ୍ତପ୍ତ ରହୁଛି ଓ ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଏହା ସଂସ୍ପର୍ଶରେ ଆସିବା ପରେ ବିଜୁଳି ଘଡ଼ଘଡ଼ି ସୃଷ୍ଟି ହେଉଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଏହି ସ୍ଥିତି ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଜାରି ରହିବ। ଅନ୍ୟପଟେ ୩୧ ଓ ୧ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ଅନୁଭୂତ ହେବ। ୩୧ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି।

Comments are closed.