ପିସି ବିରୋଧରେ ଅଳକାଙ୍କ ଜିରୋ ଟଲରାନ୍ସ ନୀତି, ଅଧିକାରୀଙ୍କୁ ରୋକଠୋକ ଚେତାବନୀ | News Room Odisha

ପିସି ବିରୋଧରେ ଅଳକାଙ୍କ ଜିରୋ ଟଲରାନ୍ସ ନୀତି, ଅଧିକାରୀଙ୍କୁ ରୋକଠୋକ ଚେତାବନୀ

ଝାରସୁଗୁଡ଼ା: ପିସି କାରବାର ବିରୋଧରେ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କ ଜିରୋ ଟଲରାନ୍ସ ନୀତି। ଲଖନପୁର ପଞ୍ଚାୟତ ସମିତି ବୈଠକରେ ଅଳକା ସରକାରୀ ଅଧିକାରୀଙ୍କୁ ଏନେଇ ରୋକଠୋକ ଚେତାବନୀ ଦେଇଛନ୍ତି। ତାଙ୍କ ନିର୍ବାଚନ ମଣ୍ଡଳୀରେ କୌଣସି ସ୍ଥାନରେ ପିସି କାରବାର ନେଇ ସୂଚନା ମିଳିବା ମାତ୍ରେ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଲଖନପୁର ବ୍ଲକରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବିଧାୟିକା ଶ୍ରୀମତି ମହାନ୍ତି ଯୋଗଦେଇ ନବୀନ ସରକାରଙ୍କ ଦୁର୍ନୀତିମୁକ୍ତ ଶାସନର ଆଭିମୁଖ୍ଯ ଉପରେ କହିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଦୁର୍ନୀତିଖୋର ଅଧିକାରୀ ଏବଂ କର୍ମଚାରୀଙ୍କୁ ଆଦୌ ବରଦାସ୍ତ କରୁନଥିବାର ଉଦାହରଣ ବାରମ୍ବାର ଦେଖିବାକୁ ମିଳୁଛି। ବହୁ ଅଧିକାରୀ ଓ କର୍ମଚାରୀଙ୍କ ଚାକିରି ଗଲାଣି। ଏଥିପାଇଁ କୌଣସି ଉନ୍ନୟନ କାମରେ ପିସି କାରବାରକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ସେ ସୂଚାଇ ଦେଇଛନ୍ତି। ସବୁ ଟେଣ୍ଡର କାମରେ ସ୍ବଚ୍ଛତା ଆଣିବା ସହ ନିର୍ମାଣ କାମ ଉନ୍ନତ ମାନର କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି। ସେ କହିଛନ୍ତି ଯେ, ମୋ ସ୍ବାମୀଙ୍କ ସମୟରେ ପିସି କାରବାରକୁ ଆଦୌ ପ୍ରଶ୍ରୟ ଦିଆଯାଇନଥିଲା। ଆଉ ବର୍ତ୍ତମାନ ମଧ୍ଯ ଏହାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ସେ ସତର୍କ କରାଇଛନ୍ତି। ଯଦି କେହି ପିସି କାରବାରରେ ସଂଶ୍ଲିଷ୍ଟ ହୁଅନ୍ତି ତେବେ ବିଧାୟିକା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ମାଧ୍ୟମରେ ଆବଗତ କରେଇ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ଜଣେଇବେ ବୋଲି ଚେତାବନୀ ଦେଇଛନ୍ତି।