ବନ୍ଧୁକ ପରିତ୍ୟାଗ କରି ବିବାହ ବନ୍ଧନରେ ବାନ୍ଧିହେଲେ ମାଓବାଦୀ | News Room Odisha

ବନ୍ଧୁକ ପରିତ୍ୟାଗ କରି ବିବାହ ବନ୍ଧନରେ ବାନ୍ଧିହେଲେ ମାଓବାଦୀ

ନୂଆପଡ଼ା: ମାଓ ଆଦର୍ଶ ଓ ଅସ୍ତ୍ରକୁ ପରିତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ଦୁଇ ମାଓବାଦୀ । ସେମାନେ ହେଲେ ଡାଲମତୀ କମାର ଓ ରାହୁଲ ମୁସାକି ।
ସୂଚନା ମତେ ଗତ ୨୦୧୬-୧୭ରେ ନୂଆପଡା ଜିଲ୍ଲା ସିନାପାଲି ଥାନା କୁନ୍ଦେନଝରିଆ ଗାଁର ଡାଲମତୀ କମାର ଓରଫ୍ ମାଧୁରୀ ମୈନପୁର ମାଓବାଦୀ ଡିଭିଜନରେ ଯୋଗଦାନ କରିଥିଲେ। କିନ୍ତୁ ସେଠାରେ ନିର୍ଯାତନା ସହି ନ ପାରି ୨୦୧୮ ନଭେମ୍ବର ୧୩ରେ ତତ୍କାଳୀନ ନୂଆପଡ଼ା ଏସପି ସ୍ମିତ ପରମାରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ସେହିପରି ୨୦୨୧ ସେପ୍ଟେମ୍ବର ମାସରେ ଛତିଶଗଡର ରାଜ୍ୟ ସୁକମା ଅଞ୍ଚଳର ରାହୁଲ ମୁସାକି ଓରଫ ପିଣ୍ଟୁ କନ୍ଧମାଲ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ସେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼(କେକେବିଏନ) ମାଓ ସଂଗଠନରେ କାମ କରୁଥିଲେ। ଏମାନଙ୍କ ନାମରେ ଲକ୍ଷାଧିକ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। ହେଲେ ମାଓ ରାସ୍ତା ଛାଡ଼ିବା ପରେ ଦୁହେଁ ସମାଜର ମୁଖ୍ୟସ୍ରୋତକୁ ଫେରି ଆସିବା ସହ ପରସ୍ପରର ହାତ ଧରିବାକୁ ସ୍ଥିର କରିଥିଲେ । ସେମାନଙ୍କର ଏହି ନିଷ୍ପତ୍ତିକୁ ରୂପ ଦେବା ନିମନ୍ତେ ଆଜି ନୂଆପଡ଼ା ଜିଲ୍ଲା ପୁଲିସ ଉଦ୍ୟମ କରିଛି । ଦୁହେଁ ଆଜି ଧୁମଧାମ୍‌ରେ ବାହା ହେଉଛନ୍ତି । ପୁଲିସ ବିବାହ ଉତ୍ସବ ଆୟୋଜନ କରୁଛି। ନୂଆପଡ଼ା ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ ବରଙ୍କ ପିତା ହୋଇଥିବା ବେଳେ ଜୋଙ୍କ ଆଇଆଇସି କୈଳାସ ସେଠୀ କନ୍ୟା ଦାନ କରିଛନ୍ତି । ଦକ୍ଷିଣ- ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ନୂଆପଡା ଏସପି ପ୍ରତ୍ୟୁଷ ଦିବାକର ଯୋଗଦେଇ ନବଦମ୍ପତ୍ତିଙ୍କୁ ଶୁଭାଶିର୍ବାଦ କରିଛନ୍ତି । ଏବେ ଭୋଜି ଭାତର ଆସର ଜମିଛି । ଯାହା ସବୁ ମହଲରେ ପ୍ରଶଂସା ଓ ଅଲୋଚନାର ବିଷୟ ହୋଇଛି।