ଦୁବାଇରେ ଜମିଲା ନୂଆଁଖାଇ ଭେଟଘାଟ

ସମ୍ବଲପୁର: ବିଦେଶରେ ଧୁମଧାମରେ ପାଳନ ହେଲା ନୂଆଁଖାଇ। ଦୁବାଇରେ ୟୁଏଇ ନୂଆଁଖାଇ ପରିବାର ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ନୂଆଁଖାଇ ପାଇଁ ଭାରତ ବାହାରେ ଆୟୋଜିତ ହୋଇଥିବା ଏହା ସବୁଠୁ ବଡ଼ କାର୍ଯ୍ୟକ୍ରମ। ପଶ୍ଚିମ ଓଡ଼ିଶାର ଭାଷା, ସଂସ୍କୃତି, ନୃତ୍ୟ ଓ ହସ୍ତତନ୍ତ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

ଭାରତୀୟ ଦୂତାବାସରେ ଥିବା ଅଡିଟୋରିୟମକୁ ଏକ ମିନି ଓଡିଶାରେ ପରିଣତ କରାଯାଇଥିଲା। ଏହି ଅବସରରେ ପରିବେଷଣ କରାଯାଇଥିବା ସମ୍ବଲପୁରୀ ସଙ୍ଗୀତ ଏବଂ ନୃତ୍ୟ ସମସ୍ତ ଉପସ୍ଥିତ ଦର୍ଶକଙ୍କୁ ଆକର୍ଷିତ କରିଥିଲା | ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ସମ୍ବଲପୁରୀ ପୋଷାକ ପିନ୍ଧିଥିଲେ, ଯାହା କାର୍ଯ୍ୟକ୍ରମକୁ ଆହୁରି ଆକର୍ଷଣୀୟ କରିଥିଲା। ଲୋକେ ବେଶ ଉତ୍ସାହର ସହିତ ନୂଆଁଖାଇ ଭେଟଘାଟ କର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଆରତୀ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା | ନୂତନ ଶସ୍ୟ ବା ନୂଆ ଧାନକୁ ପ୍ରଥମେ ମା ସମାଲେଶ୍ୱରୀଙ୍କ ନିକଟରେ ଲାଗି କରାଯାଇଥିଲା | ଏହି କାର୍ଯ୍ୟକ୍ରମର ଆଉ ଏକ ନିଆରା କଥା ହେଲା ଏଠାରେ ସମସ୍ତେ ମିଳିମିଶି ଏକାଠି ନବାନ୍ନ ଖାଇଥିଲେ। ଆଉ ବଡ଼ କଥା ହେଉଛି ଏହି ନୂଆ ଶସ୍ୟକୁ ବରଗଡ ଜିଲ୍ଲା ବିଜେପୁର ଠାରୁ ସ୍ୱତନ୍ତ୍ର ଭାବେ ଅଣାଯାଇଥିଲା | ଏହା ପରେ ସମସ୍ତେ ପରସ୍ପରକୁ ‘ନୂଆଁଖାଇ ଜୁହାର’ କହି ଅଭିବାଦନ ଜଣାଇଲେ।

ଦୁବାଇରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ସ୍ବତନ୍ତ୍ର ନୃତ୍ୟ ଗୀତ ପରିବେଷଣ କରିଥିଲେ। ପୁରୁଷ, ମହିଳାଙ୍କ ସହ ଶିଶୁମାନେ ବି ଏଥିରେ ଭାଗ ନେଇଥିଲେ। ସମ୍ବଲପୁରୀ ଗୀତ, ନୃତ୍ୟ ଓ ଫ୍ୟାଶନ ସୋ ମଧ୍ୟ ପ୍ରଦର୍ଶିତ ହୋଇଥିଲା | ଏହି କାର୍ଯ୍ୟକ୍ରମ ପାଇଁ ଆବୁଧାବିରୁ ଏକ ସ୍ୱତନ୍ତ୍ର ଟିମ ମଧ୍ୟ ଆସିଥିଲା। ଫେସବୁକ ଓ ୟୁଟ୍ୟୁବ ଲାଇଭ ଜରିଆରେ ସାରା ବିଶ୍ବରୁ ଦର୍ଶକମାନେ ଏହି ନୂଆଁଖାଇ ଭେଟଘାଟକୁ ଉପଭୋଗ କରିଥିଲେ।

ପାରମ୍ପରିକ ଖାଦ୍ୟର ପରିବେଷଣ ନୂଆଁଖାଇ ଭେଟଘାଟର ଅନ୍ୟତମ ଆକର୍ଷଣ ସାଜିଥିଲା। ଘରେ ପ୍ରସ୍ତୁତ ହୋଇଥିବା ‘ଆମ୍ବିଲ’ ସମସ୍ତଙ୍କୁ ପସନ୍ଦ ଆସିଥିଲା। ନୂଆଁଖାଇ ଭେଟଘାଟ ଅବସରରେ ଏକ ସମ୍ବଲପୁରୀ କ୍ୟାଲେଣ୍ଡର ମଧ୍ୟ ଉନ୍ମୋଚନ କରାଯାଇଥିଲା। ଏହି କ୍ୟାଲେଣ୍ଡରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ଚିତ୍ର ରହିଛି। ଆଇଏଫଏସ ଅଧିକାରୀ ତାଡୁ ମାମୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ସେ ପ୍ରଥମ ଥର ପାଇଁ ଏକ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା କହିଛନ୍ତି। ପଶ୍ଚିମ ଓଡ଼ିଶାର ସୁନ୍ଦର ସଂସ୍କୃତିର ପ୍ରଶଂସା କରିବା ସହ ୨୦୧୪ରୁ ଲଗାତର ଭାବର ନୂଆଁଖାଇ ଭେଟଘାଟ ଆୟୋଜନ କରିଥିବାରୁ ଆୟୋଜକଙ୍କ ପ୍ରଶଂସା କରିଥିଲେ। ୟୁଏଇରେ ନୂଆଁଖାଇ ଭେଟଘାଟ ଆୟୋଜନ ହେଉଥିବାରୁ ସେ ଖୁସି ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ଭାବେ ପଶ୍ଚିମ ଓଡ଼ିଶାର ଦୁଇ କଳାକାର କବି ତଥା ସଙ୍ଗୀତ ସଂଯୋଜକ ଦୁର୍ଗା ପଣ୍ଡା ଏବଂ କମେଡିଆନ ଯୋଗେଶ ଯୋଯୋ ଉପସ୍ଥିତ ରହି ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିଥିଲେ।

Comments are closed.