ସୁହାନା ମୁହଁରେ ହସ ଫୁଟାଇଲା ବିଏସକେୱାଇ କାର୍ଡ, ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଦେଲା ପରିବାର

ସମ୍ବଲପୁର : ୬ ବର୍ଷର କୋମଳମତି ଶିଶୁ ସୁହାନା ନାଏକ ମୁହଁରୁ ହସ ଉଡିଯାଇଥିଲା। ଦୀର୍ଘ ଦିନ ଧରି ଏହି ନିଷ୍ପାପ ଶିଶୁ ଜୀବନ ମରଣ ସହ ସଂଘର୍ଷ କରିବା ପରେ ବର୍ତ୍ତମାନ ସଂପୂର୍ଣ ସୁସ୍ଥ। ଏବେ ସୁହାନା ପୁଣି ହସିଛି। ପରିବାର ମୁହଁରେ ବି ବିରାଟ ଆଶ୍ବସ୍ତିର ହସ ଖେଳିଛି। ଆଉ ସୁହାନା ସମେତ ପୁରା ପରିବାର ମୁହଁରେ ହସ ଫେରାଇଛି ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ବିଏସକେୱାଇ ସ୍ବାସ୍ଥ୍ୟ କାର୍ଡ। ଏହି କାର୍ଡ ଯୋଗୁଁ ଗରିବ ପରିବାରର ସୁହାନା ଭୁବନେଶ୍ବରର ଆପୋଲୋ ପରି ବଡ ଘରୋଇ ହସପିଟାଲରେ ସଂପୂର୍ଣ ମାଗଣାରେ ଚିକିତ୍ସିତ ହୋଇ ଘରକୁ ଫେରିଛି। ଏଥିପାଇଁ ପରିବାର ଲୋକଙ୍କ ସମେତ ତାକୁ ଆପୋଲୋ ପଠାଇଥିବା ସମ୍ବଲପୁରର ପୂର୍ବତନ ଉପ ନଗରପାଳ ସିଦ୍ଧାର୍ଥ ସାହା ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି।

ଗତ ସମ୍ବଲପୁର ଶୀତଳଷଷ୍ଠୀ ସମୟରେ ସମ୍ବଲପୁର ସହରର ରେମେଡ ନିବାସୀ ସୁହାନା ତାର ବାପା ମାଁଙ୍କ ସହ ଯାତ୍ରା ଦେଖିବାକୁ ବାହାରିଥିଲା। ଫେରିବା ବେଳେ ଏକ କାର୍ ସୁହାନାକୁ ଧକ୍କା ଦେବା ଫଳରେ ସେ ଗୁରୁତର ଆହତ ହୋଇଥିଲା। ଏନେଇ ଖବର ପାଇବା ପରେ ସମାଜସେବୀ ତଥା ପୂର୍ବତନ ଉପନଗରପାଳ ସିଦ୍ଧାର୍ଥ ସାହା ତାକୁ ତୁରନ୍ତ ଭିମସାର ବୁର୍ଲାରେ ଭର୍ତ୍ତି କରିଥିଲେ। ହେଲେ ତାର ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାକୁ ଭୁବନେଶ୍ବର ଆପୋଲୋକୁ ଯିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ, ଏହି ଗରିବ ପରିବାର ଏହି ଅର୍ଥ ବୋଝ ଉଠାଇବାକୁ ଅସମର୍ଥ ହୋଇଥିଲେ। ଏତିକି ବେଳେ ସିଦ୍ଧାର୍ଥ ବାବୁ ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସହ ଯୋଗାଯୋଗ କରିବା ପରେ ସୁହାନାକୁ ଆପୋଲୋକୁ ନିଆଯାଇଥିଲା। ଆଉ ବିଏସ୍‌କେୱାଇ କାର୍ଡରେ ତାର ସଂପୂର୍ଣ ମାଗଣା ଚିକିତ୍ସା ଆରମ୍ଭ ହୋଇଥିଲା। ଦୀର୍ଘ ୧୮ ଦିନ ଧରି ଚିକିତ୍ସିତ ହେବା ପରେ ତାର ଚେତା ଫେରିଥିଲା। ଇତିମଧ୍ୟରେ ସୁହାନା ସଂପୂର୍ଣ ସୁସ୍ଥ ହୋଇ ଘରକୁ ଫେରିଛି। ଆଉ ତା ମୁହଁରେ ପୁଣି ହସ ଫେରିଛି। ତେବେ, ଏନେଇ ପରିବାର ଲୋକଙ୍କ ସମେତ ସିଦ୍ଧାର୍ଥ ସାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ସାଧୁବାଦ ଜଣାଇଛନ୍ତି। ସେହିପରି ସୁହାନାର ଚିକିତ୍ସାରେ ସକ୍ରିୟ ଭୂମିକା ନିର୍ବାହ କରିଥିବା ଆପୋଲୋର ଡାକ୍ତର ଡିକୁନ ଦିକ୍ଷୀତଙ୍କୁ ମଧ୍ୟ ପରିବାର ଲୋକେ ସାଧୁବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରଦତ୍ତ ଏହି କାର୍ଡ ଏଭଳି କେତେ ଯେ, ପରିବାର ପାଇଁ ସଞ୍ଜିବନୀ ସାଜି ହସ ଫୁଟାଉଛି ତାହାର ହିସାବ କରିବା ମୁସ୍କିଲ ବୋଲି ମତପ୍ରକାଶ ପାଇଛି।

Comments are closed.