ଟାସ୍କ ଫୋର୍ସ ବୈଠକରେ ଘୋଷଣା: ଲିଙ୍ଗ ନିରୁପଣ କ୍ଲିନିକର ସୂଚନା ପାଇଁ ୨୫ ହଜାର ପୁରସ୍କାର

ସମ୍ବଲପୁର: ଲିଙ୍ଗ ନିରୁପଣ ନିଷିଦ୍ଧ ଆଇନ ୧୯୯୪ ଅନ୍ତର୍ଗତ ଜିଲ୍ଳା ପରାମର୍ଶ ଦାତା ଓ଼ ଟାସ୍କଫୋର୍ସ ବୈଠକ ଆଜି ଜିଲ୍ଲାପାଳ ଅନନ୍ୟା ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି | ସ୍ଥାନୀୟ ସମଗ୍ର ଶିକ୍ଷା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼କ୍ଟର ପଙ୍କଜ କୁମାର ପଟେଲ ତିନି ଗୋଟି ଅଲଟ୍ରା ସାଉଣ୍ଡ କେନ୍ଦ୍ରର ନୂତନ ପଞ୍ଜିକରଣ ଓ଼ ତିନି ଟି ର ନବୀକରଣ ରିପୋର୍ଟ ଉପସ୍ଥାପନ କରିଥିଲେ | ସମସ୍ତ ନୂତନ ଓ଼ ନବୀକରଣ ଆବେଦନ କୁ ମଞ୍ଜୁର ପ୍ରଦାନ କରାଯାଇଥିଲା | ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ଭରତ ଚନ୍ଦ୍ର ଦାସ ବିଭିନ୍ନ ଅଲଟ୍ରା ସାଉଣ୍ଡ କେନ୍ଦ୍ରର ଯାଞ୍ଚ ତଥ୍ୟ ବୈଠକରେ ଉପସ୍ଥାପନ କରିଥିଲେ | ରାଜ୍ୟରେ ବେଆଇନ ଲିଙ୍ଗ ନିରୂପଣ ରୋକିବା ଲାଗି ରାଜ୍ୟ ସରକାର ନେଇଥିବା ପଦକ୍ଷେପ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା | ଏହା ଅନ୍ତର୍ଗତ ଲିଙ୍ଗ ନିରୁପଣ ଭଳି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା କ୍ଲିନିକ ସମ୍ପର୍କରେ ସୂଚନା ଦେଲେ ସୂଚନା କାରୀଙ୍କୁ ୨୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ ର ବ୍ୟବସ୍ଥା ରହିଛି ସହିତ ସୂଚନା କାରୀଙ୍କ ସମସ୍ତ ତଥ୍ୟ ଗୋପନୀୟ ରଖାଯିବ | ଏବଂ ଆଇନଗତ ମାମଲାରେ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ | ଏହି ଯୋଜନା କୁ ବ୍ୟାପକ ମାତ୍ରାରେ ଜନ ସାଧାରଣ ମାନଙ୍କ ପାଖକୁ ପହଞ୍ଚାଇବା ନିମନ୍ତେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ | ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏସପି, ଡିଏସଡବ୍ଲୁ, ସରକାରୀ ଓକିଲ, ସଂକଳ୍ପ ଏନଜିଓ, ସଖୀର ପ୍ରତିନିଧି ଶିଶୁ ରୋଗ ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ, ଭେସଜ ବିଶେଷଜ୍ଞ, ଡିପିଏମ ଏନଏଚଏମ, ପ୍ରମୁଖ ଉପସ୍ଥିତ ଥିଲେ | କାର୍ଯ୍ୟକ୍ରମକୁ ଆଇନ ବ୍ୟାପାର ସହ ପ୍ରଵନ୍ଧକ ବୁଦ୍ଧ ରଞ୍ଜନ ଭୋଇ ପରିଚାଳନା କରିଥିଲେ |

Comments are closed.