ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସ ନିକଟରେ ବାଘ ଥିବା ଆଶଙ୍କା

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ଓ ନିକଟବର୍ତ୍ତୀ ଅନ୍ତରବାଟିଆ ଗାଁ ଆଖପାଖ ଜଙ୍ଗଲରେ ବାଘ ପରି ଏକ ଜୀବକୁ ଅଞ୍ଚଳବାସୀ ଦେଖିଥିବା କହିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଅନ୍ତରବାଟିଆ ଗାଁର ସୁନିଲ କୁମାର ନିଜ ଘର ପଛପଟକୁ ଯାଇଥିବା ବେଳେ ଅଳ୍ପ ଦୂର ଜଙ୍ଗଲିଆ ଲଟା ବୁଦାରେ ବାଘ ଆକୃତିର ଜୀବକୁ ଦେଖିବାକୁ ପାଇଥିଲେ। ଅନ୍ୟ ଗ୍ରାମବାସୀଙ୍କୁ କହିବା ପରେ ଆଉ କିଛି ଜଣ ସେଠାକୁ ଯାଇ ଜୀବଟିକୁ ଦେଖିଥିଲେ। ତେବେ ଏତେ ଲୋକଙ୍କୁ ଦେଖି ଉକ୍ତ ଜୀବଟି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଥିବା ଛୋଟ ଜଙ୍ଗଲ ରାସ୍ତାରେ ଖସି ପଳାଇ ଥିଲା।

ସ୍ଥାନୀୟ ଗ୍ରାମବାସୀଙ୍କ ଠାରୁ ଖବର ପାଇ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସ୍‌ରେ ରହୁଥିବା କର୍ମଚାରୀମାନଙ୍କୁ ଏ ନେଇ ଅବଗତ କରାଇବା ସହ ରାତିରେ ଚଳପ୍ରଚଳ ବେଳେ ସାବଧାନତା ଅବଲମ୍ବନ କରିବାକୁ ସତର୍କ କରାଇ ଦିଆଯାଇଛି। ଏହି ଘଟଣା ପରେ ଅନ୍ତରବାଟିଆ ଗ୍ରାମବାସୀ‌ଙ୍କ ସମେତ ବିଶ୍ବବିଦ୍ୟାଳୟ ପରିସରରେ ରହୁଥିବା ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା। ତେବେ ଘଟଣା ବାବଦରେ ବ୍ରହ୍ମପୁର ଡିଏଫ୍ଓ ଅମ୍ଲାନ ନାୟକ କହିଛନ୍ତି କି ବନ ବିଭାଗ କର୍ମଚାରୀଙ୍କ ଏକ ଟିମ୍ ଅଞ୍ଚଳରେ ରାତିସାରା ପାଟ୍ରୋଲିଂ କରିବ। ଏହି ଅଞ୍ଚଳରେ ହୁଏତ ହେଟା ବାଘ କିମ୍ବା ଅନ୍ୟ କୌଣସି ପ୍ରଜାତିର ବନ୍ୟଜନ୍ତୁ ବୁଲୁଥାଇପାରେ। କୌଣସି ବନ୍ୟଜନ୍ତୁ ଦେଖାଗଲେ ଏ ବାବଦରେ ସ୍ପଷ୍ଟ ଜଣାପଡିପାରେ।

କିଛି ଦିନ ପୂର୍ବରୁ ବ୍ରହ୍ମପୁର ଠାରୁ ଅଳ୍ପ ଦୂର ଟାମଣା ଘାଟି ଅଞ୍ଚଳରେ ଏକ ବାଘ ସଦୃଶ ପ୍ରାଣୀ ବୁଲୁଥିବା ଭିଡିଓ ଭାଇରାଲ‌ ହୋଇଥିଲା।‌ କିଛି ବର୍ଷ ପୂର୍ବ ବିଶ୍ବବିଦ୍ୟାଳୟ ପରିସରର ଅତି ନିକଟରୁ ହାତୀ ପଲ ଚାଲି ଆସିଥିବା ନଜିର ରହିଛି ।

Comments are closed.