ଭବ୍ୟ ସ୍ବାଗତ ସହ ୪ ବ୍ଲକ୍ ବୁଲିଲା ଅହିଂସା ରଥ: ଆଜି ବ୍ରହ୍ମପୁର ଆସିବ

ଛତ୍ରପୁର: ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ଅହିଂସା ରଥକୁ ଗତ ଅଗଷ୍ଟ ମାସ ୧୫ ତାରିଖରେ ଭୁବନେଶ୍ୱର ଠାରେ ଶୁଭାରମ୍ଭ କରିଥିଲେ। ଏହି ରଥ ରାଜ୍ୟସାରା ପରିକ୍ରମା କରୁଥିବା ବେଳେ ଶୁକ୍ରବାର ଗଜପତି ଜିଲ୍ଲାରୁ ଆସି ଗଞ୍ଜାମ ଜିଲ୍ଲାରେ ପହଞ୍ଚିଛି।ଦୁଇଟି ରଥକୁ ଶୁକ୍ରବାର ତପ୍ତପାଣି ଠାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି ନେଇ ଜନସାଧାରଣଙ୍କ ଭିତରେ ଦେଶପ୍ରେମର ଜାଗରଣ ସୃଷ୍ଟି ଏହି ରଥ ପରିକ୍ରମାର ମୂଳ ଲକ୍ଷ୍ୟ। ପ୍ରଥମ ଦିନ ଏହା ଦିଗପହଣ୍ଡି, ଶେରଗଡ଼ ଏବଂ ଚିକିଟି, ପାତ୍ରପୁର ବ୍ଲକ୍ ପରିକ୍ରମା କରିଛି। ଦ୍ବିତୀୟ ଦିନ ଅର୍ଥାତ୍ ଶନିବାର ଦିନ ଗୋଟିଏ ରଥ ବ୍ରହ୍ମପୁର ମହାନଗର ପରିଭ୍ରମଣ କରି ଲୋକଙ୍କୁ ସ୍ବାଧୀନତା ସଂଗ୍ରାମୀଙ୍କ ବାବଦରେ‌ ସଚେତନ କରାଇବ।

ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଦ୍ବାରା ଅହିଂସା ରଥ ଦ୍ଵୟକୁ ଉତ୍ସାହର ସହ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା ।ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରବର୍ଗଙ୍କୁ ସମ୍ବର୍ଦ୍ଧିତ କରାଯାଇ ବିଭିନ୍ନ ସାଂସ୍କୃତିକ ଦଳର କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ଏସ୍ଏଚ୍‌ଜି ସଭ୍ୟୀମାନେ ଉପସ୍ଥିତ ଥିଲେ। ସ୍ବାଧୀନତା ସଂଗ୍ରାମୀ ବୈକୁଣ୍ଠ ନାୟକଙ୍କ ପୁତ୍ର ଶଶୀଭୂଷଣ ନାୟକଙ୍କୁ ସମ୍ମାନୀତ କରାଯାଇଥିଲା।

Comments are closed.