ବ୍ରହ୍ମପୁରରେ ବ୍ରାଉନ୍‌ସୁଗାର୍ ଜବତ, କନେଷ୍ଟବଳଙ୍କ ମାଆ ଗିରଫ

ବ୍ରହ୍ମପୁର: ଫଳ ଦୋକାନ ପାଲଟିଥିଲା ବ୍ରାଉନ୍‌ସୁଗାର୍ କାରବାରର କେନ୍ଦ୍ର। ଫଳ ବିକ୍ରି ବାହାନାରେ ଛୋଟ ଛୋଟ ପ୍ୟାକେଟ୍ କରି ବ୍ରାଉନ୍‌ସୁଗାର୍ ବିକ୍ରି କରାଯାଉଥିଲା। ଯୁବ ଗୋଷ୍ଠୀଙ୍କୁ ଦିଆଯିବା ସହ ଅନ୍ୟ ସ୍ଥାନକୁ ଚାଲାଣ ପାଇଁ ପଠାଯାଉଥିଲା। ତେବେ ଅବକାରୀ ଗୋଇନ୍ଦା ବିଭାଗ ଏହାର ସୁରାକ ପାଇ ସାରିଥିଲା। ସୋମବାର ଉକ୍ତ ଫଳ ଦୋକାନ ଉପରେ ଚଢ଼ଉ କରି ସୁକାନ୍ତ ବେହେରା ନାମକ ଜଣେ ମହିଳାଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୧୨୭ ଗ୍ରାମ ବ୍ରାଉନ୍‌ସୁଗାର୍ ଓ ୧୧ ହଜାର ଟଙ୍କା ଜବତ କରାଯାଇଛି। ଉଲ୍ଲେଖନୀୟ ଯେ ସୁକାନ୍ତି ହେଉଛନ୍ତି ଜଣେ ପୋଲିସ କନଷ୍ଟେବଲଙ୍କ ମାଆ। ସୁକାନ୍ତି ବ୍ରହ୍ମପୁର ସିଟି ହସପିଟାଲ୍ ଆଗରେ ଫଳ ଦୋକାନ କରି ବିକ୍ରି କରୁଥିଲେ। ଅତି ଚତୁରତାର ସହ ଏହି ନିଷିଦ୍ଧ ଓ ବେଆଇନ ନିଶା ସାମଗ୍ରୀ କାରବାର ଚାଲିଥିଲା। ପୂର୍ବରୁ ମଧ୍ୟ ବ୍ରହ୍ମପୁରରେ ଦୁଇ ଥରରେ ୨୧୨ ଗ୍ରାମ୍ ବ୍ରାଉନ୍‌ସୁଗାର୍ ଜବତ କରାଯାଇଥିଲା। ଏବେ ନିଶା ମାଫିଆମାନେ ଗଞ୍ଜେଇ ପରେ ବ୍ରହ୍ମପୁରରେ ଉକ୍ତ ନିଶା ସାମଗ୍ରୀର ଚୋରା କାରବାର ପାଇଁ ଡେରା ପକାଇଥିବା ଅନୁମାନ କରାଯାଉଛି । ଅବକାରୀ ବିଭାଗ ଏଥିନେଇ ସତର୍କ ଦୃଷ୍ଟି ରଖିଛି।

Comments are closed.