ଟ୍ରାଫିକ ଉଲ୍ଲଘଂନକାରୀଙ୍କ ବିରୋଧରେ ଆଜିଠୁ ୩ ଦିନ ସ୍ୱତନ୍ତ୍ର ଅଭିଯାନ | News Room Odisha

ଟ୍ରାଫିକ ଉଲ୍ଲଘଂନକାରୀଙ୍କ ବିରୋଧରେ ଆଜିଠୁ ୩ ଦିନ ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ୱର – ଟ୍ରାଫିକ୍‍ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ ସ୍ୱରୂପ ଆଜିଠାରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ, ଯାହାକି ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ସକାଳ ୯ରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଯାନ ବାହନ ଯାଞ୍ଚ କରାଯିବ। ହେଲମେଟ୍‍ ଓ ସିଟ୍‍ ବେଲ୍ଟ ବ୍ୟବହାର କରୁନଥିବା, ଗାଡ଼ି ଚାଳନା ସମୟରେ ମୋବାଇଲ୍‍ ଫୋନ୍‍ ବ୍ୟବହାର କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଅଧିକ ଯାଞ୍ଚ କରାଯିବ। ଆବଶ୍ୟକ ସ୍ଥଳେ ପରିବହନ ଅଧିକାରୀ ସ୍ଥାନୀୟ ପୋଲିସର ସହାୟତା ନେଇପାରିବେ। ୨୮ ତାରିଖରେ ସଂଧ୍ୟା ୭ରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ମଦ୍ୟପ ଗାଡ଼ି ଚାଳକଙ୍କୁ ଯାଞ୍ଚ କରାଯିବ। ବାଲି, ଚିପ୍ସ, ପଥର ଆଦି ପରିବହନ କରୁଥିବା ଗାଡ଼ିରେ ରିଫ୍ଲେକ୍ଟର ଟେପ୍‍, ବ୍ରେକ୍‍ ଲାଇଟ୍‍, ହେଡ୍‍ ଲାଇଟ୍‍, ଇଣ୍ଡିକେଟର ଲାଇଟ୍‍, ପାର୍କିଂ ଲାଇଟ୍‍ ଆଦି ଯାଞ୍ଚ କରାଯିବ। ପାର୍କିଂ ସିଗନାଲ ବିନା ରାଜପଥରେ ଥୁଆ ହୋଇଥିବା ଗାଡ଼ିରୁ ଜରିମାନା ଆଦାୟ କରାଯିବ। ଅସୁରକ୍ଷିତ ଅବସ୍ଥାରେ ମାଲ ପରିବହନ କରୁଥିବା ଗାଡ଼ିର ଫିଟ୍‍ନେସ୍‍ ପ୍ରମାଣପତ୍ର ବାତିଲ କରାଯିବ। ୨୯ ତାରିଖ ସଂଧ୍ୟା ୭ରୁ ସକାଳ ୬ ପର୍ଯ୍ୟନ୍ତ ଏହି ଯାଞ୍ଚ ଚାଲିବ ବୋଲି କୁହାଯାଇଛି।