ବି ଓ ସି ବର୍ଗର ପଦବୀ ପାଇଁ ଏଣିକି ଏକକ ପରୀକ୍ଷା କରିବ ରାଜ୍ୟ ଷ୍ଟାଫ ସିଲେକସନ କମିଶନ | News Room Odisha

ବି ଓ ସି ବର୍ଗର ପଦବୀ ପାଇଁ ଏଣିକି ଏକକ ପରୀକ୍ଷା କରିବ ରାଜ୍ୟ ଷ୍ଟାଫ ସିଲେକସନ କମିଶନ

ଭୁବନେଶ୍ୱର – କମ୍ବାଇନଡ୍ ଗ୍ରାଜୁଏଟ୍ ଲେଭଲ ରିକ୍ର‌୍ୟୁଟମେଂଟ ପରୀକ୍ଷା ରୁଲସ-୨୦୨୨କୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏ ସ‍ଂପର୍କିତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ଏଣିକି କମ୍ବାଇନଡ୍ ପରୀକ୍ଷା ଭଳି ରାଜ୍ୟ ଷ୍ଟାଫ ସିଲେକ୍ସନ୍ କମିଶନଙ୍କ ଦ୍ୱାରା ଓଡ଼ିଶାରେ ଗ୍ରୁପ୍ – ବି ଓ ସି ବର୍ଗର ପଦବୀ ନିମନ୍ତେ ଏଣିକି କମ୍ବାଇନଡ୍ ବା ଏକକ ପରୀକ୍ଷା ହେବ । ରାଜ୍ୟ ସରକାରଙ୍କ ବିଭିନ୍ନ କ୍ୟାଡ଼ର ପଦବୀ ଓ ସେବାରେ ନିଯୁକ୍ତି ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ତଥା ନିର୍ଦ୍ଧାରିତ ଅବଧି ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ସରକାର ଗ୍ରୁପ୍ ବି ଓ ସି ବର୍ଗର ବିଭିନ୍ନ ପଦବୀ ଓ ସେବା ନିମନ୍ତେ କମ୍ବାଇନଡ୍ ଗ୍ରାଜୁଏଟ୍ ଲେଭଲ ରିକ୍ର‌୍ୟୁଟମେଂଟ ପରୀକ୍ଷା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି।

ଗ୍ରୁପ୍ ବି ଓ ସି ବର୍ଗର ବିଭିନ୍ନ ପଦବୀ ଓ ସେବାରେ ନିଯୁକ୍ତି ପାଇଁ ରାଜ୍ୟର ସମସ୍ତ ଆଶାୟୀ ପରୀକ୍ଷାର୍ଥୀ ଏଣିକି ଅଲଗା ଅଲଗା ପରୀକ୍ଷା ପରିବର୍ତ୍ତେ ଏକକ ପରୀକ୍ଷା ନିମନ୍ତେ ଆବେଦନ କରିପାରିବେ । ଏହା ଦ୍ୱାରା ପରୀକ୍ଷାର୍ଥୀମାନଙ୍କ ସମୟ ଓ ଖର୍ଚ୍ଚ କମ୍ ହେବା ସହ ରାଜ୍ୟ ସରକାରଙ୍କ ବ୍ୟୟ ଭାର ହ୍ରାସ ପାଇବ । ପୂର୍ବରୁ ଏ ସଂକ୍ରାନ୍ତ ଜାରି ସମସ୍ତ ନିୟମାବଳୀ ଓ ନିର୍ଦ୍ଦେଶନାମା କିମ୍ବା ବିଭାଗୀୟ ମୁଖ୍ୟଙ୍କ ଦ୍ୱାରା ଜାରି ନିର୍ଦ୍ଦେଶ ଅକାମୀ ହୋଇଯିବ ଓ ଏହି ନୂଆ ନିୟମାବଳୀ କାର୍ଯ୍ୟକାରୀ ହେବ ।