ସମ୍ବଲପୁର : ‘ତୁହି ଶକ୍ତି ତୁହି ବୁଦ୍ଧି ତୁହି ସରସ୍ବତୀ, ତୁ ପ୍ରତିଭା ତୁହି ମାଗୋ ଆଦ୍ୟା ଭଗବତୀ, ଜଗତରେ ଯାହା ଅଛି ସବୁ ତୋର ସିନା, କି ଦେଇ ପୂଜିବି ପାଦେ ପ୍ରେମଭକ୍ତି ବିନା।’ ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ଇଷ୍ଟଦେବୀ ସମ୍ବଲପୁରର ମାଁ ସମଲେଶ୍ବରୀଙ୍କ ମନ୍ଦିରର ପ୍ରବେଶ ଦ୍ବାର ସଂଲଗ୍ନ କାନ୍ଥରେ ଲିଖିତ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଅର୍ଘ୍ୟଥାଳି ଏହି ପକ୍ତିଂଟି ଅଗଣିତ ଭକ୍ତଙ୍କୁ ଦଶନ୍ଧି ଦଶନ୍ଧି ଧରି ଶାକ୍ତ ପରମ୍ପରାରେ ଉଦବୃଦ୍ଧ କରି ଆସୁଛି। ମାଁ ଏଠାରେ ଜଗଜ୍ଜନନୀ, ଆଦିଶକ୍ତି, ମହାଲକ୍ଷ୍ମୀ ଏବଂ ମହା ସରସ୍ବତୀ ରୂପରେ ପୂଜା ପାଉଛନ୍ତି।
ଜଗଜ୍ଜନନୀ ମାଁ ଦୁର୍ଗ। ସମ୍ବଳବାସୀଙ୍କ ଆରାଧ୍ୟ ଦେବୀ ମାଁ ସମଲେଶ୍ବରୀ ରୂପରେ କେଉ ଆବାହମାନ କାଳରୁ ପୂଜିତା। ସମଗ୍ର ପଶ୍ଚିମ ଓଡିଶାର ଜନଜୀବନରେ ମାଁଙ୍କ ସ୍ଥାନ ସବୁଠୁ ଉଚ୍ଚରେ। ଚୌହାନ ବଂଶର ରାଜା ବଳରାମ ଦେବଙ୍କ ଦ୍ବାରା ପ୍ରତିଷ୍ଠିତ ଏହି ମନ୍ଦିର ସମ୍ବଲପୁର ମାଟିର ମହାନ ସଂସ୍କୃତି ଏହି ଐତିହ୍ୟର ଏକ ବଳିଷ୍ଠ ନିଦର୍ଶନ ଭାବେ ରହି ଆସିଛି। ବିଶେଷ କରି ଚୌହାନ ବଂଶର ବୀରତ୍ବର ନିଦର୍ଶନ ମାଁଙ୍କ ପୂଜାନୀତିରେ ବି ପ୍ରତିଫଳିତ ହୋଇଆସିଛି। ବର୍ଷତମାମ ମାଁଙ୍କ ଯାନିଯାତ ମଧ୍ୟରେ ଶାରଦୀୟ ନବରାତ୍ର ପୂଜା ବେଶ୍ ଗୁରୁତ୍ବ ବହନ କରେ। ଆଉ ଏହି ଶାରଦୀୟ ପୂଜାରେ ବି ବୀରତ୍ବର ଗାଥା ଦେଖିବାକୁ ମିଳିଥାଏ। ମହାଷ୍ଟମୀ ଏବଂ ଦଶମୀ ଦିନ ମାଁଙ୍କ ଆଖଡା ଶୋଭାଯାତ୍ରା ହିଁ ଏହି ବୀରତ୍ବର ନିଦର୍ଶନ ଭାବେ ପରିଗଣିତ ହୋଇଆସିଛି।
ମୂଳାଷ୍ଟମୀରୁ ମାଁଙ୍କ ଷୋଡ଼ଶ ପୂଜା ଆରମ୍ଭ ହୋଇଥାଏ। ତେବେ ବର୍ଷଯାକର ସବୁ ପର୍ବପର୍ବାଣୀ ମଧ୍ୟରେ ମଧ୍ୟରେ ମହାଳୟା ଦିନ ମାଁଙ୍କ ଧାରଣ କରୁଥିବା ଧବଳମୁଖୀ ବେଶ ସବୁଠୁ ଅଧିକ ଆକର୍ଷଣୀୟ ହୋଇଥାଏ। ବର୍ଷତମାମ ମାଁ ସିନ୍ଦୁର ଚର୍ଚ୍ଚିତା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଏହି ଦିନ ମାଁ ଚନ୍ଦନ ଚର୍ଚ୍ଚିତା ହୋଇ ଧବଳ ବେଶରେ ଦର୍ଶନ ଦେଇଥାନ୍ତି। ଏହାକୁ ଗଙ୍ଗାବେଶ ବି କୁହାଯାଇଥାଏ। ଏହି ଦୁର୍ଲଭ ବେଶ ଦେଖିବାକୁ ଦେଶର କୋଣ ଅନୁକୋଣରୁ ଭକ୍ତ ଛୁଟି ଆସିଥାନ୍ତି। ତେବେ, ଏହାର ପରଦିନରୁ ହିଁ ଆରମ୍ଭ ହୋଇଥାଏ ନବରାତ୍ର ପୂଜା। ଏଥିରେ ପ୍ରତ୍ୟେକ ଦିନ ଅପରାହ୍ନରେ ମାଁ ବିଭିନ୍ନ ଅଳଙ୍କାରରେ ଭୂଷିତ ହୋଇ ଶୃଙ୍ଗାର ବେଶ ଧାରଣ କରିଥାନ୍ତି।
ହେଲେ ନବରାତ୍ରର ବିଶେଷ ଆକର୍ଷଣ ହେଲା ମାଁଙ୍କ ଆଖଡା ଶୋଭାଯାତ୍ରା। ମନ୍ଦିର ପରିସରରେ ଚୌହାନ ବଂଶର ରାଜସ୍ବ ସମୟରୁ ବ୍ୟବହାର ହୋଇ ଆସୁଥିବା ବିରଳ ଅସ୍ତ୍ରଶସ୍ତ୍ର ଏବେ ବି ଅସ୍ତ୍ରଶସ୍ତ୍ର ଭଣ୍ଡାରରେ ମହଜୁଦ ହୋଇ ରହିଛି। ପ୍ରତିବର୍ଷ ଶାରଦୀୟ ନବରାତ୍ରର ମହାଷ୍ଟମୀ ତିଥିରେ ଏହି ଅସ୍ତ୍ରଶସ୍ତ୍ରକୁ ପୂଜକମାନେ ଧାରଣ କରି ଏକ ଶୋଭାଯାତ୍ରାରେ ବାହାରି ମହାନଦୀ କୂଳକୁ ଯାଇଥାନ୍ତି। ସେଠାରେ ମହାନଦୀର ଜଳରେ ସବୁ ଅସ୍ତ୍ରଶସ୍ତ୍ରକୁ ଧୋଇ ପୂଜାର୍ଚ୍ଚନା କରିଥାନ୍ତି। ଏହାଦ୍ବାରା ସମସ୍ତ ଅସ୍ତ୍ରଶସ୍ତ୍ର ପ୍ରଖର ରୂପ ଧାରଣ କରିଥାଏ ବୋଲି ବିଶ୍ବାସ ରହିଛି। ସେଠାରୁ ପୁଣି ଶୋଭାଯାତ୍ରାରେ ଆସି ମନ୍ଦିର ପରିସରରେ ଆଖଡା ପ୍ରଦର୍ଶନ କରିବା ପରେ ପୁଣି ଅସ୍ତ୍ରାଗାରରେ ସେହି ଅସ୍ତ୍ରଶସ୍ତ୍ରକୁ ସ୍ଥାପନ କରାଯାଇଥାଏ। ସେପଟେ, ବିଭିନ୍ନ ପଡାର ଆଖଡା ଦଳ ଆସି ମହାଷ୍ଟମୀ ସନ୍ଧ୍ୟାରେ ମନ୍ଦିର ପରିସରରେ ଆଖଡା ପ୍ରଦର୍ଶନ କରିଥାନ୍ତି। ଆଉ ବିଜୟା ଦଶମୀ ଦିନ ମାଁଙ୍କ ରଣଜିତା ଶୋଭାଯାତ୍ରାରେ ସେହି ସମସ୍ତ ଅସ୍ତ୍ରଶସ୍ତ୍ର ସହିତ ଆଖଡା ଦଳ ବାହାରି ନଗର ପରିକ୍ରମା କରିଥାନ୍ତି। ରାସ୍ତାରେ ଏହି ବୀରତ୍ବର ନିଦର୍ଶନ ପୂର୍ବକ ଦୁସାହସିକ କ୍ରୀଡା ପ୍ରଦର୍ଶନ କରିଥାନ୍ତି।
ସେହିପରି ସହରର ବିଭିନ୍ନ ପଡାର ଓସ୍ତାଦମାନଙ୍କ ନେତୃତ୍ବରେ ଏକାଧିକ ଆଖଡା ଦଳ ମଧ୍ୟ ବାହାରି ଆଖଡା ପ୍ରଦର୍ଶନ କରିଥାନ୍ତି। ଏହି ଆଖଡା ପରୋକ୍ଷରେ ମହିଷାମର୍ଦ୍ଦିନୀ ମାଁଙ୍କ ବିଜୟ ଶୋଭାଯାତ୍ରା ସହିତ ସମ୍ବଲପୁରର ଚୌହାନ ବଂଶର ବୀରତ୍ବର ଗାଥା ବି ବହନ କରିଥାଏ। ପରୋକ୍ଷରେ ମାଁଙ୍କ ଶକ୍ତିପୂଜାରେ ଆଖଡା ଏକ ଗୁରୁତ୍ବପୂର୍ଣ ଭୂମିକା ବହନ କରି ଆସିଛି।
Comments are closed.