ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତାରେ ମାଁ ସହ ଯାଆଁଳା ଭାଇଭଉଣୀଙ୍କ କମାଲ

ସମ୍ବଲପୁର : ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ଠାରେ ୪ ଦିନ ଧରି ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ତୀରନ୍ଦାଜ (ଆର୍ଚେରୀ) ପ୍ରତିଯୋଗିତାରେ ଦୁଇ ଯାଆଁଳା ସନ୍ତାନଙ୍କ ସହ ଜଣେ ମାଁଙ୍କ କମାଲ ଚର୍ଚ୍ଚାର ପରିସରକୁ ଆସିଛି। ସମ୍ବଲପୁର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଯୁଯୁମୁରାର ଏହି ମାଁ ଓ ଦୁଇ ସନ୍ତାନଙ୍କ ସଫଳତାରେ ସମ୍ବଲପୁର ଜିଲ୍ଲାପାଳ ବି ଶତମୁଖ ହୋଇଛନ୍ତି।

ବଲାଙ୍ଗୀରରେ ଗତ ୪ ଦିନ ଧରି ଅନୁଷ୍ଠିତ ହୋଇଥିବା ୨୩ ତମ ରାଜ୍ୟ ଆର୍ଚେରି (ତୀରନ୍ଦାଜୀ) ଚମ୍ପିଆନସିଫ ଆଜି ଉଦଯାପିତ ହୋଇଛି । ଏଥିରେ ସମ୍ବଲପୁର ଜିଲ୍ଲାର କେବଳ ଯୁଯୁମୁରାର ୨ ଭ‍ାଇ ଭଉଣୀଙ୍କୁ ମିଶାଇ ମୋଟ ୯ ଜଣ ସଫଳତାର ସିଡି ଚଢି ଜାତୀୟ ସ୍ତରକୁ ଉନ୍ନିତ ହୋଇଛନ୍ତି। ଏହି ଖବର ମିଳିବା ପରେ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ସେମାନଙ୍କୁ ଅଭିନନ୍ଦନର ସୁଅ ଛୁଟୁଛି ।

ଆୟୋଜିତ ପ୍ରତିଯୋଗିତାରେ ଯୁଯୁମୁରାର ୭୨୦ ରୁ ୬୩୦ ଇଣ୍ଡିଆନ ରାଉଣ୍ଡରେ ଅନ୍ୱେଷା ଦେହୂରୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ତାଙ୍କ ଭାଇ ଅର୍ଣ୍ଣବ କୁମାର ଦେହୂରୀ ୬୧୬ ରିକ୍ୟୁଭ୍ ରାଉଣ୍ଡ ରଖି ସେ ମଧ୍ୟ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଉଭୟେ ୭ ବର୍ଷର ଓ ଜାଆଁଳା ଭାଇ ଭଉଣୀ ସ୍ଥାନୀୟ ଲିଟିଲ ଫ୍ଲାୱାର ପବ୍ଲିକ ସ୍କୁଲର ୨ୟ ଶ୍ରେଣୀର ଶିକ୍ଷାର୍ଥୀ। ଅନ୍ୟ ପକ୍ଷରେ ଯୁଯୁମୁରାର ସୁକୁମନ ସାମଦ ଏକାସହିତ ଜୁନିୟର କମ୍ପାଉଣ୍ଡ ୨ୟ ଓ ସିନିୟର କମ୍ପାଉଣ୍ଡରେ ୩ୟ ସ୍ଥାନ ହାସଲ କରି ୨ଟି ପୁରସ୍କାର ହାସଲ କରିଛନ୍ତି। ସେହିପରି ୬୧୪ ରଖି ୧୪ ମିନିରେ ଦୀପକ ଗୁଡିଆ ୪ର୍ଥ, ସିନିୟର ଇଣ୍ଡିଆନ ରାଉଣ୍ଡରେ ୬୫୮ ରଖି ସୂର୍ଯ୍ୟମଣି ମାଝୀ ୨ୟ, ସିନିୟର କମ୍ପାଉଣ୍ଡ ମହିଳା ବିଭାଗରେ ୪୮୨ ରଖି ଜୟଲିନ୍ କେର୍କେଟା ୩ୟ, ସିନିୟର କମ୍ପାଉଣ୍ଡରେ ଇର୍ମା ପଡିଆମୀ ୬୬୫ ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ରଶ୍ମିରଞ୍ଜନ ନାଏକ ୬୫୪ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହାଛଡା କିଡସ୍ ୯ ଇଣ୍ଡିଆନ ରାଉଣ୍ଡରେ ୬୦୪ ରଖି ଖୁସବୁ ହର୍ସପୁର୍ତ୍ତି ୪ ସ୍ଥାନ ହାସଲ କରିଛନ୍ତି । ଏପରିକି ପିଲାଙ୍କୁ ଉତ୍ସାହିତ କରି ଖେଳିବା ନିଶାରେ ଗତ କିଛି ଦିନ ହେଲା ଅନ୍ୱେଷା ଓ ଅର୍ଣ୍ଣବଙ୍କ ମାଁ ରୁବି ଦେହୁରି ମଧ୍ୟ ପ୍ରତିଯଗିତାରେ ଭାଗ ନେଇ ୭ମ ସ୍ଥାନ ଅଧିକାର କରି ନେଇଛନ୍ତି।

ହକି ପରି ତୀରନ୍ଦାଜିରେ ଯୁଯୁମୁରାର ଏହି ସଫଳତା ନେଇ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟୁଛି। ଜିଲ୍ଲାପାଳ ଅନନ୍ୟା ଦାସ ଉଭୟ ଭାଇଭଉଣୀଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ସ୍ବତନ୍ତ୍ର ତାଲିମ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

ସେହିପରି କୃତି ପ୍ରତିଯୋଗୀଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ରେଢାଖୋଲ ବିଧାୟକ ଇଂ ରୋହୀତ ପୂଝାରୀ, ପୂର୍ବତନ ସାଂସଦ ପ୍ରସନ୍ନ କୁମାର ଆଚାର୍ଯ୍ୟ, କଂଗ୍ରେସର ଆସବ ଅଲ୍ଲି ଖାଁ, ବିଜେପିର ଦେବେନ୍ଦ୍ର ମହାପାତ୍ର, ଗୋବିନ୍ଦ ଅଗ୍ରୱାଲ, ସୌମିକ ବାବୁ, ସାମାଜିକ କର୍ମୀ ନିହାଲ ସିଂ, ବରିଷ୍ଠ ଶିକ୍ଷକ ରାଜେନ୍ଦ୍ର କୁମାର ପଣ୍ଡା, କଲ୍ୟାଣୀ ପ୍ରଧାନ, ଦାସ ସତ୍ୟେନ, ପ୍ରଶାନ୍ତ ଥପ୍ପା, ସମାଜସେବୀ ଡ଼ା ରାଜାରାମ ଷଡ଼ଙ୍ଗୀ, ଯୁଯୁମୁରା ବ୍ଲକର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ଲିପିଣ୍ଡା ସରପଞ୍ଚ୍ ପ୍ରଫୁଲ୍ଲ କୁମାର ମିର୍ଦ୍ଧା, ମେଘପାଳ ସରପଞ୍ଚ୍ ମମତା ପ୍ରଧାନ, ମାୟାଧର ଜେନା, ପ୍ରଫୁଲ୍ଲ କୁମାର ପଣ୍ଡା ପ୍ରମୂଖ ବ୍ୟକ୍ତି ବିଶେଷ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି।

Comments are closed.