ଜାତୀୟ ସ୍ୱଚ୍ଛ ସର୍ବେକ୍ଷଣରେ ରାଜ୍ୟର ୧୧ଟି ସହର ପୁରସ୍କୃତ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ, ନଗର ଉନ୍ନୟନ ବିଭାଗକୁ ପ୍ରଶଂସା

ଭୁବନେଶ୍ୱର – ଜାତୀୟ ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାରରେ ଓଡ଼ିଶାକୁ ଉଲ୍ଲେଖନୀୟ ସଫଳତା ମିଳିଛି। ରାଜ୍ୟର ୧୧ଟି ସହର ସ୍ୱଚ୍ଛ ସର୍ବେକ୍ଷଣ ୨୦୨୨ ଜାତୀୟ ପୁରସ୍କାର ହାସଲ କରିଛନ୍ତି। ଏହାଛଡା କଟକ ମହାନଗର ନିଗମ ଓ ପିପିଲି ଏନଏସି ମଧ୍ୟ ଜାତୀୟ ଇଣ୍ଡିଆନ ସ୍ୱଚ୍ଛତା ଲିଗ୍ ୨୦୨୨ରେ ଜାତୀୟ ପୁରସ୍କାର ପାଇଛନ୍ତି।

ସ୍ୱଚ୍ଛ ସର୍ବେକ୍ଷଣ ୨୦୨୨ର ବିଭିନ୍ନ ପାରାମିଟରରେ ସାମଗ୍ରିକ ଭାବେ ୭୫୦୦ ମାର୍କ ସହ ଭୁବନେଶ୍ୱର ମହାନଗର ନିଗମ, ବ୍ରହ୍ମପୁର ମହାନଗର ନିଗମ, ପୁରୀ ମ୍ୟୁନିସିପାଲିଟି, ପାରାଦୀପ ମ୍ୟୁନିସିପାଲିଟି, ବରଗଡ଼ ମ୍ୟୁନିସିପାଲିଟି, ବାସୁଦେବପୁର ମ୍ୟୁନିସିପାଲିଟି, ବେଲଗୁଣ୍ଠା ଏନଏସି, ବିଜେପୁର, ବିନିକା, ଚିକିଟି, ଜୁନାଗଡ ଏଏନସି ଜାତୀୟ ସ୍ୱଚ୍ଛତା ପୁରସ୍କାର ହାସଲ କରିଛନ୍ତି।

ଜାତୀୟ ସ୍ୱଚ୍ଛତା ପୁରସ୍କାର ପାଇଥିବା ସହର ଓ ୟୁଏଲବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ସହରଗୁଡିକୁ ସଫାସୁତୁରା ରଖିବା ସହ ବସବାସ ଅନୁକୂଳ କରିବା କ୍ଷେତ୍ରରେ ରାଜ୍ୟ ଗୃହ ଓ ସହର ବିକାଶ ବିଭାଗର ଉଦ୍ୟମକୁ ପ୍ରଶ‍ଂସା କରି ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.