ମୋହନା: ଓଏସ୍‌ଆର୍‌ଟିସି ବସ୍ ଦୁର୍ଘଟଣା, ୪୦ ଯାତ୍ରୀ ବର୍ତ୍ତିଲେ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ବ୍ଲକ୍ ତଥା ଅଡ଼ବା ଥାନା ଅନ୍ତର୍ଗତ ନଲାଘାଟ ନିକଟରେ ଏକ ଓଏସ୍‌ଆର୍‌ଟିସି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାକଡ଼କୁ ଖସି ପଡ଼ିଛି। ଏହି ସରକାରୀ ବସ୍ (ଓଡି୦୨ବିଭି୧୯୧୬) ମାଲକାନଗିରି ଜିଲ୍ଲା ମୋଟୁ ଅଞ୍ଚଳରୁ ରାଜଧାନୀ ଭୁବନେଶ୍ୱରକୁ ଯାତ୍ରା କରୁଥିଲା। ତେବେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସି ଯାଇଥିଲା ବେଳେ ଗଛଲତାରେ ଲାଗି ରହିଯିବା ଯୋଗୁଁ ସମ୍ପୂର୍ଣ୍ଣ ଓଲଟିଯିବାରୁ ରକ୍ଷା ପାଇ ଯାଇଛି। ଫଳରେ ସେଥିରେ ଥିବା ପ୍ରାୟ ୪୦ ଜଣ ଯାତ୍ରୀ ବର୍ତ୍ତି ଯାଇଛନ୍ତି। କିଛି ଯାତ୍ରୀଙ୍କୁ ନାମକୁ ମାତ୍ର ଆଘାତ ଲାଗିଛି। ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଥିଲା ବେଳେ ଅଡ଼ବା ଥାନା ପୋଲିସ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଯାତ୍ରୀମାନଙ୍କୁ ଅନ୍ୟ ଏକ ବସ୍‌ରେ ଗନ୍ତବ୍ୟସ୍ଥଳ ଅଭିମୁଖେ ପଠାଇ ସେମାନଙ୍କ ସମସ୍ୟା କିଛିଟା ସମାଧାନ କରିବାକୁ ପ୍ରୟାସ କରିଛି ପୋଲିସ।

ଅଡ଼ବା ଥାନା ଅଞ୍ଚଳରେ ଏହା ଦୁଇ ରାତିରେ ଦ୍ଵିତୀୟ ଦୁର୍ଘଟଣା। ସୋମବାର ରାତିରେ ସନ୍ଧିନାଳ ନିକଟରେ ଏକ ବସ୍ ସହ ଏକ ଭ୍ୟାନ୍ ମୁହାଁମୁହିଁ ଧକ୍କା ଘଟିଥିଲା। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିକୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରୁ ଯାଉଥିବା ବସ୍‌ ସହ ବିପରୀତ ଦିଗରୁ ଆସୁଥିବା ଭ୍ୟାନ୍ ଧକ୍କା ଘଟିଥିଲା । ବସ୍‌ଟି ରାସ୍ତାକଡ଼ ଏକ ଗଛକୁ ବାଜି ଅଟକିଯିବାରୁ ଉଭୟ ଗାଡ଼ିରେ ବସିଥିବା ପ୍ରାୟ ୫୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ।

Comments are closed.