ଯାତ୍ରାରେ ପିସ୍ତଲ ଦେଖାଇ ଲୁଟ୍‌ କରୁଥିଲେ ଲୁଟେରା, ବାନ୍ଧିଲା ପୋଲିସ୍‌ | News Room Odisha

ଯାତ୍ରାରେ ପିସ୍ତଲ ଦେଖାଇ ଲୁଟ୍‌ କରୁଥିଲେ ଲୁଟେରା, ବାନ୍ଧିଲା ପୋଲିସ୍‌

ବୌଦ୍ଧ, ୧୨।୧୦: ଯାତ୍ରାରେ ପିସ୍ତଲ ଧରି ଲୁଟ କରିବା ପଡ଼ିଲା ମହଙ୍ଗା। କଣ୍ଟାମାଳ ବ୍ଲକ୍ ଲୋକପଡାରେ ହେଉଥିବା ଖମ୍ବେଶ୍ୱରୀ ଯାତ୍ରାରେ ଲୁଟ୍ କରୁଥିବା ସମୟରେ ଲୋକଙ୍କ ହାବୁଡରେ ପଡିଛନ୍ତି ୨ ଲୁଟେରା । ସେମାନଙ୍କ ନିକଟରୁ ଏକ ଗୁଳି ଭର୍ତ୍ତି ପିସ୍ତଲ ଜବତ କରି ଲୁଟେରାଙ୍କୁ ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ । ଲୁଟେରା ଦ୍ବୟ ସୋନପୁର ଜିଲ୍ଲା ବୈଦ୍ୟନାଥ ଗ୍ରାମର ଦେବାଶିଷ ମହାନନ୍ଦ ଏବଂ ଲକ୍ଷ୍ମଣ ଲୁହା ।

ସୂଚନା ଅନୁଯାୟୀ ଖାମ୍ୱେଶ୍ୱରୀ ଯାତ୍ରା ଚାଲିଥିବା ସମୟରେ କିଛି ଲୁଟେରା ହାତରେ ବନ୍ଧୁକ ଧରି ସେଠାକୁ ଲୁଟ୍ କରିବା ଉଦ୍ଦେଶ୍ୟରେ ଯାଇଥିଲେ । ସନ୍ଧପଳି ଗ୍ରାମର ରତ୍ନାକର ଷଣ୍ଢ ଏବଂ ସରୋଜ କୁମାର ଷଣ୍ଢଙ୍କ ମୋବାଇଲ୍ ଲୁଟୁଥିବା ସମୟରେ ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ କାବୁ କରିଥିଲେ । ହେଲେ ସେମାନେ ବନ୍ଧୁକ ଦେଖାଇ ତାଙ୍କୁ ଭୟଭୀତ କରି ସେଠାରୁ ଫେରାର ହେବାକୁ ଉଦ୍ୟମ କରିଥିଲେ । ସେହି ସମୟରେ ଲୋକମାନେ ତାଙ୍କୁ କାବୁ କରି ମନମୁଣ୍ଡା ପୋଲିସକୁ ସୂଚନା ଦେଇଥିଲେ । ପୋଲିସ୍ ସେଠାରେ ପହଞ୍ଚି ଲୁଟେରା ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ବନ୍ଧୁକ ଜବତ୍ କରିଛି । ତେବେ ଏହି ଘଟଣାରେ ଅନ୍ୟ ଜଣେ ଫେରାର ହୋଇ ଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ ସୂଚନା ଦେଇଛି।