ପ୍ରଫେସର ସାଇବାବା ମାମଲା: ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଜିଏନ୍ ସାଇବାବାଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିବା ନେଇ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଜାରି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି।

ସୂଚନା ଅନୁଯାୟୀ, ବମ୍ବେ ହାଇକୋର୍ଟଙ୍କ ଉପରୋକ୍ତ ନିର୍ଦ୍ଦେଶର କିଛି ସମୟ ପରେ ଏନ୍ଆଇଏ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା ।

ହାଇକୋର୍ଟ ନିଷ୍ପତ୍ତି ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ତେବେ ଏହି ମାମଲାର ଶୀଘ୍ର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରି ନିକଟରେ ଆବେଦନ କରିବାକୁ ସୁପ୍ରିମକୋର୍ଟ ଏନ୍ଆଇଏକୁ ଅନୁମତି ଦେଇଛନ୍ତି।

ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ ଏବଂ ହିମା କୋହଲିଙ୍କ ଏକ ଖଣ୍ଡପୀଠ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଛନ୍ତି ଯେ ସେମାନେ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇ ପାରିବେ ନାହିଁ । କାରଣ ସେମାନେ ଏହି ମାମଲାରେ ଉଭୟ ପକ୍ଷକୁ ଶୁଣି ନାହାଁନ୍ତି।

ଏହି ମାମଲାର ଜରୁରୀ ଶୁଣାଣି କରିବା ଏବଂ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଜାରି କରିବା ନେଇ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟଙ୍କ ନିକଟରେ ଦାବି କରିଥିଲେ। ଖଣ୍ଡପୀଠ କହିଥିଲେ ଯେ ଏହି ମାମଲାର ଆମେ ଫାଇଲ ଦେଖି ନାହୁଁ କିମ୍ବା ହାଇକୋର୍ଟଙ୍କ ନିଷ୍ପତ୍ତି ପଢିନାହୁଁ। ତେଣୁ ଆମେ ହାଇକୋର୍ଟ ଉପରେ ନିଷ୍ପତ୍ତି ଉପରେ ରୋକ୍ ଲଗାଇ ପାରିବୁ ନାହିଁ ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନିଲମ୍ବିତ ପ୍ରଫେସର ଜିଏନ୍ ସାଇବାବାଙ୍କୁ ନକ୍ସଲମାନଙ୍କ ସହ ସମ୍ପର୍କ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ୨୦୧୭ରେ ଏକ ଟ୍ରାଏଲ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ପ୍ରଫେସର ସାଇବାବା ଏହି ନିଷ୍ପତ୍ତିକୁ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ଚ୍ୟାଲେଞ୍ଜ କରିଥିଲେ ।

ପ୍ରଫେସର ଜିଏନ୍ ସାଇବାବାଙ୍କ ସମେତ ଅନ୍ୟ ପାଞ୍ଚ ଜଣଙ୍କୁ ମୁକ୍ତ କରିବାକୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.