ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ରେଡ୍ : କ୍ରିପ୍ଟୋ କାରବାରରେ ବିନିଯୋଗ କରିଥିଲେ କଳାଧନ ! | News Room Odisha

ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଘରେ ରେଡ୍ : କ୍ରିପ୍ଟୋ କାରବାରରେ ବିନିଯୋଗ କରିଥିଲେ କଳାଧନ !

ଭୁବନେଶ୍ୱର – ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଥିବା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଂଜନ ଦାସଙ୍କ ଘରୁ ଠାବ ହୋଇଛି ବିପୁଳ ପରିମାଣର କ୍ରିପ୍ଟୋ କରେନ୍ସି। ତାଙ୍କ ଘର ଚଢାଉ ବେଳେ ୧.୭୫ କୋଟିର କ୍ରିପ୍ଟୋ କରେନ୍ସି ଠାବ ହୋଇଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି।

କ୍ରିପ୍ଟୋ କାରବାର ପ୍ରମାଣ ନଷ୍ଟ କରିବାକୁ ସେ ଉଦ୍ୟମ କରିଥିଲେ ମଧ୍ୟ ସେ ବିଫଳ ହୋଇଛନ୍ତି। ଭିଜିଲାନ୍ସ ରେଡ୍‌ ବେଳେ ସେ କ୍ରିପ୍ଟୋ କରେନସୀ ବାବଦରେ ପ୍ରମାଣ ଥିବା ୩୮ଟି ଡକ୍ୟୁମେଣ୍ଟ ଏବଂ ମୋବାଇଲକୁ ଫିଙ୍ଗିଦେଇଥିଲେ। ତେବେ ସେସବୁକୁ ଜବତ କରିଥିଲା ଭିଜିଲାନ୍ସ। ଏହାଭିତରୁ ଯନ୍ତ୍ରୀଙ୍କ ବିଶାଳ କଳାଟଙ୍କା କାରବାରର ଗୁମର ଖୋଲୁଛି। କ୍ରିପ୍ଟୋ କରେନ୍ସି ହେଉଛି ଏକ ଡିଜିଟାଲ୍ ମୁଦ୍ରା। ଯାହାର କାଗଜ ନୋଟ୍ କିମ୍ବା ଧାତବ କଏନ୍ ନାହିଁ। ପ୍ରଚଳନ କେବଳ ଇଣ୍ଟରନେଟ୍ ଦୁନିଆରେ ହୋଇଥାଏ। ଏହି କରେନ୍ସି ଉପରେ କୌଣସି ସରକାର କିମ୍ବା ବ୍ୟାଙ୍କର ନିୟନ୍ତ୍ରଣ ନାହିଁ। ଭାରତରେ ଯଦିବା ଏଯାଏଁ ଏହା ଆଇନତଃ ବୈଧ ନୁହେଁ, ସେଥିରେ କିନ୍ତୁ ନିଜର କଳାଧନକୁ ବିନିଯୋଗ କରି ଭିଜିଲାନ୍ସ ଏବଂ ଆୟକର ବିଭାଗ ଆଖିରୁ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଖସିଯିବାକୁ ଉଦ୍ୟମ କରୁଥିଲେ।

ଏଣେ ଯନ୍ତ୍ରୀ ଠୁଳ କରିଥିବା ଅନେକ କୋଠାବାଡ଼ି, ଯାନବାହନ ସହ ବିପୁଳ ଗହଣା ଗାଣ୍ଠି ଠାବ କରିଛି ଭିଜିଲାନ୍ସ। ତାଙ୍କର ମୋଟ ସାଢ଼େ ୪ କୋଟିର ସଂପତ୍ତି ଠାବ ହୋଇଛି। ଏପରିକି ୨୫ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍ ବି ମିଳିଛି। କେବଳ ସେତିକି ନୁହେଁ, ଖାରବେଳନଗର ସ୍ଥିତ ଶ୍ରୀରାମ ମାନସନ୍ ଆପାର୍ଟମେଣ୍ଟରେ ଆନୁମାନିକ ୩୨ ଲକ୍ଷ ଟଙ୍କାର ଗୋଟିଏ ଥ୍ରୀ-ବିଏଚକେ ଫ୍ଲାଟ, ସମ୍ବଲପୁର ମୋଦିପଡ଼ାରେ ଗୋଟିଏ ଦୁଇ ମହଲା କୋଠା, ସମ୍ବଲପୁରର ବିଭିନ୍ନ ସ୍ଥାନରେ ୮ଟି ପ୍ଲଟ, ୧୦ ଲକ୍ଷ ଟଙ୍କା ମୂଲ୍ୟର ୩୩୨ ଗ୍ରାମ୍ ସୁନା, ୬୪ ଲକ୍ଷର ବୀମା ଠାବ ହୋଇଛି। ତା’ ମଧ୍ୟରୁ ୩ଟି ପ୍ଲଟର ଦାମ ୧ କୋଟି ୨୫ ଲକ୍ଷରୁ ଅଧିକ ଟଙ୍କା ହେବ। ବରଗଡ଼ ଜିଲ୍ଲା ରୋହିନିଆରେ ଗୋଟିଏ ପୈତୃକ ଘର ବି ରହିଛି। ଏଥିସହ ମିଳିଛି ୨ଟି କାର ଏବଂ ୨ଟି ବାଇକ୍। ଆୟ ବହିର୍ଭୂତ ସଂପତ୍ତିର ପରିମାଣ ଆହୁରି ବଢିପାରେ।