୨୦ରୁ ସମ୍ବଲପୁର ମହୋତ୍ସବ, ବୀର୍ସା ମଇଦାନରେ ଭୂମି ପୂଜନ

ସମ୍ବଲପୁର: ଦୁଇ ବର୍ଷର କରୋନାର ଅନ୍ତରାଳରେ ହୋଇ ପାରି ନ ଥିବା ‘ସମ୍ବଲପୁର ମହୋତ୍ସବ ୨୦୨୨’ ଏ ବର୍ଷ ଆସନ୍ତା ୨୦ ନଭେମ୍ବରରୁ ୨୪ ନଭେମ୍ବର ପର୍ଯ୍ୟନ୍ତ ହେବାକୁ ଯାଉଛି। ଏ ଅବସରରେ ବିଭିନ୍ନ ଅନ୍ୟାନ୍ୟ ମେଳା ୩୦ ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ସମ୍ବଲପୁର ସାଂସ୍କୃତିକ ପରିଷଦ ତରଫରୁ ଆୟୋଜିତ ପ୍ରତିବର୍ଷ ସ୍ଥାନୀୟ ବୀର୍ସା ମଏଦାନ,ପିଏଚ୍‌ଡ଼ି ପଡ଼ିଆ ଠାରେ ଏ ବର୍ଷ ମଧ୍ୟ ହେବ। ଆଜି ଏଥିପାଇଁ ସମ୍ବଲପୁରର ସମଲେଇ ମନ୍ଦିର ଠାରେ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ଆୟୋଜନ କମିଟୀର ସଭ୍ୟମାନେ ଏହାର ଶୁଭାରମ୍ଭ ପୂଜା କରିଛନ୍ତି। ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ୍‌, ଶିକ୍ଷାବିତ ଭକ୍ତପ୍ରସାଦ ନନ୍ଦ,ଗୋଲକବିହାରୀ ମିଶ୍ର,ସପନ ମିଶ୍ର,ସଦାନନ୍ଦ ପଣ୍ଡା,ବନ୍ଦନା ପଣ୍ଡା,ବ୍ରଜ ଭୂଷଣ ଷଡ଼ଂଗୀ,ମିନାକ୍ଷୀ ପାଣିଗ୍ରାହୀ,ବବି ମେହେର,ସୌମ୍ୟଜିତ ପଟ୍ଟନାୟକ,ପ୍ରବୀଣ ସୂପକାର ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ସମଲେଇ ମନ୍ଦିରର ମୂଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟ,ପବିତ୍ର ରାୟ ଓ ଅନ୍ୟ ପୂଜକମାନେ ସ୍ବତନ୍ତ୍ର ପୂଜାକରି ଆଜ୍ଞାମାଳ ପ୍ରଦାନ କରିଥିଲେ। ଆୟୋଜକମାନେ ଏହି ଆୟୋଜନ ପାଇଁ ମାଁଙ୍କଠାରେ ପ୍ରାର୍ଥନା କରିଥିଲେ। ପରେ ଆଜ୍ଞାମାଳ ଓ ଧ୍ବଜା ଧରି କର୍ମକର୍ତ୍ତାମାନେ ସମଲେଇ ମନ୍ଦିର ଠାରେ ପହଂଚି ଥିଲେ। ପଣ୍ଡତ ସଦାଶିବ ତ୍ରିପାଠୀ ଭୂମି ପୂଜା ସହ ଶୁଭ ସ୍ତମ୍ଭ ସ୍ଥାପନ କରିଥିଲେ। ସ୍ବସ୍ଥି ମନ୍ତ୍ରପାଠ ପୂର୍ବକ ଆଜ୍ଞାମାଳ ଓ ଧ୍ବଜା କୁ ବୀର୍ସା ମଏଦାନ,ପିଏଚ୍‌ଡ଼ି ପଡ଼ିଆ ଠାରେ ମଂଚ ସମ୍ମୁଖରେ ସ୍ଥାପନା କରା ଯାଇଥିଲା। ମହୋତ୍ସବର ପ୍ରତ୍ୟହ ସକାଳେ ପଶ୍ଚିମ ଓଡ଼ିଶା ସଂପର୍କିତ ବିଭିନ୍ନ ସଂପାନ ଓ କର୍ମଶାଳା ମଧ୍ୟରେ ସମ୍ବଲପୁରୀ ଭାଷା ସାହିତ୍ୟ,ସଂସ୍କୃତି,ଗୀତ ସଂଗୀତ,ନାଟକ,ଜନଜୀବନ,ଇତିହାସ,ସ୍ବାଭିମାନ,ଆଦି ବିଷୟକ ଆଲୋଚନା ହେବ। ସମ୍ବଲପୁରୀ କବିତା ପାଠ,ସାହିତ୍ୟ ସଭା ହେବ। ସଂନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳର ଲୁପ୍ତପ୍ରାୟ ଲୋକକଳାର ପ୍ରଦର୍ଶନ ହେବ। ସାଂପ୍ରତିକ ସମ୍ବଲପୁରୀ ଗୀତ ନୃତ୍ୟ କଳାକାର ସ୍ବତନ୍ତ୍ର ଭାବରେ ନିମନ୍ତ୍ରିତ ହୋଇ ସ୍ବକୀୟ ଢ଼ଙ୍ଗରେ ପରିବେଷଣ କରିବେ। ରାଜ୍ୟସ୍ତରର ଆଦିବାସୀ ଓ ଲୋକନୃତ୍ୟ ଦଳ ପ୍ରତିଦିନ ସଂନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରିବେ। ଏହାଛଡ଼ା ଅନ୍ୟାନ୍ୟ ଜାତୀୟ ନୃତ୍ଯ ଦଳ ମଧ୍ୟ ଭାଗ ନେବେ। ସମ୍ବଲପୁର ମହୋତ୍ସବରେ ଝୁଟି,ଅଲ୍‌ପିନା ଓ ରଂଗୋଲୀ ପ୍ରତିଯୋଗିତା ସହ ନୂତନ ଓ ପ୍ରବୀଣ ରଂଗଶିଳ୍ପୀଙ୍କ ଚିତ୍ରକଳାକୃତିର ପ୍ରଦର୍ଶନ ହେବ।

ଫଟୋଗ୍ରାଫି ପ୍ରତିଯୋଗିତା ସହ ସୌଖିନ ଫଟୋଗ୍ରାଫରଙ୍କର ଅନବଦ୍ୟ ଫଟୋର ପ୍ରଦର୍ଶନ ମଧ୍ୟ ହେବ। ସମ୍ବଲପୁରୀ ଫେଶନ୍‌ ଶୋ,ସୁଆଦ୍‌ ସମ୍ବଲପୁରୀ ଖାଦ୍ୟ ଷ୍ଟଲ୍‌ ଏ ମହୋତ୍ସବ ର ବିଶେଷ ଆକର୍ଷଣ ହେବ। ସ୍ମରଣିକା ଉନ୍ମୋଚନ ସହ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ମଧ୍ୟ କରାଯିବାକୁ ସ୍ଥିରୀକୃତ ହୋଇଛି। ଏ ସମସ୍ତ ଆୟୋଜନ ପାଇଁ ଏକ ଆୟୋଜନ କମିଟୀର ସହ ବିଭିନ୍ନ ବିଭାଗର କମିଟୀର ଗୁଡ଼ିକ ମଧ୍ୟ ଗଠନ କରାଯାଇ ସମସ୍ତ କାର୍ଯ୍ୟ ସଂପାଦନ କରାଯିବ। କେବଳ କଳାକାର ମାନଙ୍କର କଳା ପ୍ରଦର୍ଶନ ନୁହେଁ ସେମାନଙ୍କର ଜୀବନ ଜୀବିକା ସଂପର୍କିତ ବିଷୟଗୁଡ଼ିକର କିଂଚିତ ସମାଧାନ ପାଇଁ ତାଙ୍କ ତିଆରି ଦ୍ରବ୍ୟ ଗୁଡ଼ିକର ବିକ୍ରୀ ପାଇଁ ମଧ୍ୟ ‘ମନୋହରି ହାଟ୍‌’ ରହିବ। ସମ୍ବଲପୁରୀ ବସ୍ତ୍ର ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯିବ।

କଳାଗ୍ରାମ,ବାଦ୍ୟବୃକ୍ଷ,ସାହିତ୍ୟୌତ୍ସବ,ଗୀତାଭିନୟ,ନାଟ୍ୟାଭିନୟ,ନାନ୍ଦନିକ ସୌନ୍ଦର୍ଯ୍ୟବୋଧ ପାଇଁ କାର୍ଯ୍ୟକ୍ରମ ଏ ବର୍ଷର ବିଶେଷ ଆକର୍ଷଣ ହେବ।

Comments are closed.