ମାଣ୍ଡିଆ ପାଇଁ ଦିନଟିଏ : ଶ୍ରେଷ୍ଠ ଆହାର ଭାବେ ଲୋକପ୍ରିୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ 

ଭୁବନେଶ୍ୱର – ପୁଷ୍ଟି ସହ ସମୃଦ୍ଧି ଯୋଡି ହୋଇରହିଛି । ଆଜି ହେଉଛି ସମୃଦ୍ଧିର ଦେବୀ ମା ଲକ୍ଷ୍ମୀଙ୍କ ପୂଜାର ଦିନ । ଆଜି ଦିନଟିକୁ ଓଡିଶା ସରକାର ମାଣ୍ଡିଆ ଦିବସ ଭାବରେ ପାଳନ କରୁଛନ୍ତି। ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବରେ ପାଳନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ପ୍ରଥମ ମାଣ୍ଡିଆ ଦିବସ ପାଳନ ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ମାଣ୍ଡିଆ ହେଉଛି ପୁଷ୍ଟିର ଭଣ୍ଡାର । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଏହା ପୁଷ୍ଟି ଯୋଗାଉଛି। ଆମ ରାଜ୍ୟରେ ଛୋଟ ଚାଷୀ, ଗରିବ ଆଦିବାସୀ ଚାଷୀ ମାଣ୍ଡିଆ ଚାଷ କରିଥାନ୍ତି । ସେମାନଙ୍କ ଅବସ୍ଥାରେ ଉନ୍ନତି ଏବଂ ଲୋକଙ୍କୁ ପୁଷ୍ଟି ଯୋଗାଣ – ଏ ଦୁଇଟି ବିଷୟକୁ ଧ୍ୟାନ ଦେଇ ରାଜ୍ୟ ସରକାର ମିଲେଟ ମିଶନ ଆରମ୍ଭ କରିଛନ୍ତି । ଏଥିରେ ପାଞ୍ଚ ବର୍ଷରେ ଦୁଇ ହଜାର ଆଠ ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଓଡ଼ିଶାର ମିଲେଟ ମିଶନ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି । ମିଳିତ ଜାତିସଂଘ ମଧ୍ୟ ଏହି କାର୍ଯ୍ୟକ୍ରମର ପ୍ରଶଂସା କରିଛି । ଅନ୍ୟ ରାଜ୍ୟ ଏହା ମାନଙ୍କ ପାଇଁ ଆଦର୍ଶ ହୋଇଛି ।

ରାଜ୍ୟର ସବୁ ଜିଲ୍ଲାରେ ମିଲେଟ ମିଶନ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏବେ ଏହି ମିଶନ ସ଼ ସହ ୨ ଲକ୍ଷ ଚାଷୀ, ୮୨ଟି ଏଫପିଓ ଓ ୧୨୦୦ ମିଶନ ଶକ୍ତି ଗ୍ରୁପ ସାମିଲ ହୋଇଛନ୍ତି । ଆଗକୁ ଆହୁରି ଚାଷୀ ଓ ମିଶନ ଶକ୍ତି ଗ୍ରୁପ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ମାଣ୍ଡିଆକୁ ଶ୍ରେଷ୍ଠ ଆହାର ଭାବରେ ଲୋକପ୍ରିୟ କରିବା ପାଇଁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.