ବିଧାନସଭାରୁ ହଟିଲା କୋଭିଡ କଟକଣା, ପ୍ରେସ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମିଳିବ ଅନୁମତି

ଭୁବନେଶ୍ବର – ବିଧାନସଭାର ଶୀତକାଳୀନ ଅଧିବେଶନ ସୁପରିଚାଳନା ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଆଜି ସର୍ବଦଳୀୟ ବୈଠକ ବସିଛି । ବିଧାନସଭାରୁ କୋଭିଡ କଟକଣାକୁ ହଟାଇ ଦିଆଯାଇଛି । ପୂର୍ବପରି ଚାଲିବ ବିଧାନସଭା। ଆସନ୍ତା ୨୪ରୁ ବିଧାନସଭାର ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ଯନ୍ତ ଚାଲିବ। ବିଧାୟକମାନେ ନିଜ ନିଜ ଆସନରେ ବସିବେ। ପ୍ରେସ ଗ୍ୟାଲେରୀରେ ମିଡିଆକୁ ଅନୁମତି ମିଳିବ। ୨ଟି ସେସନରେ ଗୃହ କାର୍ଯ୍ୟ ଚାଲିବ। ସକାଳ ସାଢେ ୧୦ରୁ ୧ଟା ୩୦ ଏବଂ ଅପରାହ୍ନ ୪ଟା ରୁ ୭ ପର୍ଯ୍ଯନ୍ତ ଗୃହକାର୍ଯ୍ୟ ଚାଲିବ। ଏ ନେଇ ବାଚସ୍ପତି ସୂଚନା ଦେଇଛନ୍ତି। ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ଷୋଡଶ ବିଧାନସଭାର ଏକାଦଶ ଅଧିବେଶନରେ ମୋଟ ୩୩ଟି କାର୍ଯ୍ଯଦିବସ ରହିଛି । ନଭେମ୍ବର ୨୪ ତାରିଖରେ ଅର୍ଥମନ୍ତ୍ରୀ ଆଗତ କରିବେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ। ନଭେମ୍ବର ୩୦ ତାରିଖରେ ବିଧାନସଭାରେ ଖର୍ଚ୍ଚ ଦାବି ଆଲୋଚନା ହେବ।

Comments are closed.