ଫିଲ୍ମ ‘ଉଞ୍ଚାଇ’ ରେ ବିଗ୍ ବି’ଙ୍କ ସହ ନାଚିଲେ ବ୍ରହ୍ମପୁରର ଯୁବକ

ବ୍ରହ୍ମପୁର: ନିକଟରେ ମୁକ୍ତିଲାଭ କରିଥିବା ହିନ୍ଦୀ ଫିଲ୍ମ ‘ଉଞ୍ଚାଇ’ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି । ହେଲେ ବହୁତ କମ୍ ଲୋକ ଜାଣନ୍ତି ଯେ ଏହି ଫିଲ୍ମର ଏକ ଓଡ଼ିଶା କନେକ୍ସନ୍ ରହିଛି । ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସହ ଏହି ଫିଲ୍ମରେ ସ୍କ୍ରିନ ସ୍ପେସ୍ ସେୟାର କରି ଚର୍ଚ୍ଚାରେ ରହିଛନ୍ତି ବ୍ରହ୍ମପୁର ସହରର ଯୁବକ ସୁନିତ୍ କୁମାର ଦାଶ । ସୁନିତ୍ ଏହି ଫିଲ୍ମର ଲୋକପ୍ରିୟ ଗୀତ ‘କେଟି କୋ’ରେ ବିଗ୍ ବି’ଙ୍କ ସହ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି। ଅମିତାଭ ବଚ୍ଚନଙ୍କ ସହ ‘ଉଞ୍ଚାଇ’ରେ ଅନୁପମ ଖେର୍, ଡାନି ଡେଞ୍ଜଗୋପ୍ପା ଓ ବୋମାନ ଇରାନୀଙ୍କ ଭଳି ଲୋକପ୍ରିୟ ଅଭିନେତା ଅଛନ୍ତି ।

ବ୍ରହ୍ମପୁରୁ ବଲିଉଡ୍ ଯାଏଁ ଲମ୍ବା ଯାତ୍ରା ଅତିକ୍ରମ କରି
ସୁନିତ୍ ଏବେ ସଫଳତାର ‘ଉଞ୍ଚାଇ’ ଛୁଇଁଛନ୍ତି । ବ୍ରହ୍ମପୁର ସହରର ଶକ୍ତି ନଗର ବାସିନ୍ଦା ସୁନିତ ସମ୍ପ୍ରତି ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆସିଷ୍ଟାଣ୍ଟ କୋରିଓଗ୍ରାଫର ଭାବେ କାମ କରନ୍ତି । ପିଲାଟି ଦିନରୁ ଡ୍ୟାନ୍ସ ପ୍ରତି ତାଙ୍କର ଆଗ୍ରହ ବଢ଼ିଥିଲା। ପରେ ସେ ରିଦମ୍ ଡ୍ୟାନ୍ସ ଏକାଡେମୀରେ ନୃତ୍ୟଗୁରୁ ଆପନା ମହାରଣାଙ୍କ ଠାରୁ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ ଏବଂ ‘ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌’ରେ ଯୋଗ ଦେଇ ବିଭିନ୍ନ ଷ୍ଟେଜ୍ ଶୋ’ରେ ଅଂଶଗ୍ରହଣ କରିଥିଲେ । ହେଲେ ସେ ଏତିକିରେ ସନ୍ତୁଷ୍ଟ ନଥିଲେ । ବଡ଼ ସେଲିବ୍ରିଟିଙ୍କ ସହ କାମ କରିବାର ନିଶା ଓ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ଲକ୍ଷ୍ୟରେ ସୁନିତ୍ ୨୦୧୩ରେ ମୁମ୍ବାଇ ଚାଲିଯାଇଥିଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନଥିଲେ।

କୋରିଓଗ୍ରାଫର ଭାବେ ସୁନିତ୍ ପ୍ରଥମେ କିଛି ସିରିଏଲ୍ ଓ ବିଜ୍ଞାପନରେ କାର୍ଯ୍ୟ କରିଥିଲେ । ଏହାପରେ ତାଙ୍କୁ ବଲିଉଡ୍ ଫିଲ୍ମରେ ବ୍ରେକ୍ ମିଳିଥିଲା । ରେସ୍-୩, ଧଡକ୍, ବାଗୀ-୨, ଫୁକ୍ରେ ରିଟର୍ଣ୍ଣସ୍, ଫ୍ରାଇଡେ, ୟମଲା ପଗଲା ଦିଓ୍ବାନା ଓ ଏବେ ‘ଉଞ୍ଚାଇ’ ଭଳି ଫିଲ୍ମରେ କୋରିଓଗ୍ରାଫର ଭାବେ କାମ କରିଛନ୍ତି ସୁନିତ୍ । ବଲିଉଡର ଲୋକପ୍ରିୟ କୋରିଓଗ୍ରାଫର
ରେମୋ ଡିସୁଜା, ଅହମ୍ମଦ ଖାନ୍, ଫାରାହା ଖାନ୍, ଫିରୋଜ
ଖାନ୍‌ଙ୍କ ଭଳି କୋରିଓଗ୍ରାଫରଙ୍କ ସହିତ ମଧ୍ୟ ସେ କାମ କରିବା ସୁଯୋଗ ପାଇଛନ୍ତି। ଏହା ମଧ୍ୟରେ ସେ ବହୁ ନାମୀଦାମୀ କଳାକାରଙ୍କ ସହ କାମ କରିଛନ୍ତି ।

Comments are closed.