ଅର୍ଚ୍ଚନା ନାଗ ମାମଲାରେ ଇଡିରେ ହାଜର ହେଲେ ସିନେ ପ୍ରଯୋଜକ ଅକ୍ଷୟ ପରିଜା

ଭୁବନେଶ୍ବର – ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଗରେ ହାଜର ହୋଇଛନ୍ତି ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା । ଆଜି ଇଡିରେ ହାଜର ହୋଇଥିଲେ ପରିଜା । ବ୍ଲାକମେଲିଂ, ହନିଟ୍ରାପ୍ ଓ ଅର୍ଥ କାରବାର ମାମଲାରେ ସେ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି। ପୂର୍ବରୁ ସେ ବ୍ୟକ୍ତିଗତ ଭାବେ ହାଜର ହୋଇ ନଥିଲେ। ସ୍ବାସ୍ଥ୍ୟଗତ କାରଣରୁ ଅକ୍ଷୟ ପରିଜାଙ୍କୁ ଆଉ କିଛି ଦିନ ସମୟ ଦେବାକୁ ଓକିଲ ଇଡି କାର୍ଯ୍ୟାଳୟକୁ ଅନୁରୋଧ କରିଥିଲେ।

ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ୍ କରି ୩ କୋଟି ଟଙ୍କା ମାଗିବା ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ଏବେ ଜେଲରେ ଅଛନ୍ତି। ଅର୍ଚ୍ଚନା ବିରୋଧରେ ଥାନାରେ ଅକ୍ଷୟ ପରିଜା ଦେଇଥିବା ଏତଲା ଅନୁସାରେ ନିଜକୁ ଆଇନଜୀବୀ ଭାବେ ପରିଚୟ ଦେଇଥିଲା ଅର୍ଚ୍ଚନା। ଜଣେ ଯୁବତୀଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଥିବା କହିଥିଲା।ସେହି ଯୁବତୀ ତାର ମହକିଲ ବୋଲି ଦାବି କରିଥିଲା ଅର୍ଚ୍ଚନା। ଟଙ୍କା ନଦେଲେ ଯୁବତୀ ଜଣଙ୍କ ତାଙ୍କ ବିରୋଧରେ ଥାନାକୁ ଯିବେ ବୋଲି ଧମକାଇଥିଲା। ନହେଲେ ସମ୍ମାନହାନି କରିବାର ଓ କ୍ୟାରିୟର ନଷ୍ଟ କରିଦେବାର ଧମକ ଦେଇଥିଲା।

Comments are closed.