ଚାଷୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳାର ପ୍ରତିବାଦ: ଜିଲ୍ଲାପାଳ ଅଫିସ ଆଗରେ ବିଜେଡିର ଧାରଣା

ବରଗଡ଼,୨୩।୧୧: ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି, ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟ ସରକାର ଏବଂ କେନ୍ଦ୍ରସରକାର ପରସ୍ପରକୁ ଦାୟୀ କରି ସେତିକି ଟଣାଓଟରା ହେଉଥିବା ଦେଖିବାକୁ ମିଳୁଛି। କୃଷି ଏବଂ କୃଷକଙ୍କ ପ୍ରତି କେନ୍ଦ୍ର ସରକାର ସବୁବେଳେ ଅବହେଳା କରି ଆସୁଛି ବୋଲି ଅଭିଯୋଗ କରି ବୁଧବାର ବିଜେଡି କର୍ମୀ, ନେତା ଏବଂ ଚାଷୀ ପ୍ରତିନିଧିଙ୍କୁ ନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରଛନ୍ତି। ଧାରଣାସ୍ଥଳରେ ବିଜେଡି ନେତୃବୃନ୍ଦ କହିଥିଲେ ।

ସ୍ବାମୀନାଥନ କମିଶନ ସୁପାରିଶ ମୁତାବକ ଏପର୍ଯ୍ୟନ୍ତ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି ପାଇନାହିଁ। ଅନ୍ୟପକ୍ଷରେ ଶାସନକୁ ଆସିବା ପୂର୍ବରୁ ସ୍ବାମୀନାଥନ କମିଶନଙ୍କ ରିପୋର୍ଟ ଲାଗୁ କରିବାକୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ଫମ୍ପା ପ୍ରତିଶ୍ରୁତି ଥିଲା ବୋଲି ପ୍ରମାଣିତ ହୋଇ ଯାଇଛି।

ସେହିପରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କା କରିବାକୁ ରାଜ୍ୟ ସରକାର କେନ୍ଦ୍ର ପାଖରେ ବାରମ୍ବାର ଦାବି କରି ଆସୁଛି। କିନ୍ତୁ ସେଥିପ୍ରତି ନୀରବ ରହିଥିବା କେନ୍ଦ୍ରସରକାର ତାହା ନ କରି ପୁଞ୍ଜିପତିଙ୍କ କୋଟି କୋଟି ଟଙ୍କା ଋଣ ଛାଡ କରି ଆସୁଛି। ଯଦି କେନ୍ଦ୍ର ସରକାର ଚାଷୀଙ୍କ ପ୍ରତି ଏଭଳି ଅବହେଳା ଜାରି ରଖେ ଏବଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି ନ କରେ, ବିଜେଡି ଆଗକୁ ଆନ୍ଦୋଳନ ଆହୁରି ତୀବ୍ର କରିବ ବୋଲି ଚେତାବନୀ ଦେଇଛି। ଏହି ଧାରଣା ଏବଂ ବିକ୍ଷୋଭ କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ଉପ ସଭାପତି ତଥା ପୂର୍ବତନ ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ରାଜ୍ୟ ଯୋଜନା ବୋଡର୍‌ ସଦସ୍ୟ ସାଧୁ ନେପାକ, ବରଗଡ଼ ବ୍ଳକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ନାଏକଙ୍କ ସମେତ ସ୍ଥାନୀୟ କାଉନସିଲର ଏବଂ ଚାଷୀ ପ୍ରତିନିଧିମାନେ ସାମିଲ ଥିଲେ।

Comments are closed.