ପଦ୍ମପୁର ଉପନିର୍ବାଚନ: ବ୍ରହ୍ମପୁରରୁ ପଠାଗଲା ବ୍ରେଲି ବ୍ୟାଲଟ୍

ବ୍ରହ୍ମପୁର: ପଦ୍ମପୁର ଉପନିର୍ବାଚନ ସକାଶେ ବ୍ରହ୍ମପୁରରେ ଥିବା ରାଜ୍ୟର ଏକମାତ୍ର ବ୍ରେଲି ପ୍ରେସରୁ ୪୦୦ ସ୍ବତନ୍ତ୍ର ବ୍ୟାଲଟ୍ ପେପର୍ ବୁଧବାର ବରଗଡ଼ ଜିଲ୍ଲାକୁ ପଠାଯାଇଛି। ଦୃଷ୍ଟିହୀନ ମତଦାତାଙ୍କ ସକାଶେ ଆବଶ୍ୟକ ବ୍ରେଲି ବ୍ୟାଲଟ୍ ପ୍ରସ୍ତୁତି ନିମନ୍ତେ ପାଇଁ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। ବ୍ରହ୍ମପୁର ବ୍ରେଲି ପ୍ରେସ୍ ମ୍ୟାନେଜର୍ ପ୍ରକାଶ କୁମାର ରଥଙ୍କ ତତ୍ତ୍ଵାବଧାନରେ ଏସବୁ ବ୍ୟାଲଟ୍‌ କାଗଜ ପ୍ରସ୍ତୁତ କରାଯାଇଥିଲା। ସମସ୍ତ ରାଜନୈତିକ ଦଳ ତଥା ନିର୍ଦ୍ଦଳୀୟ ପ୍ରାର୍ଥୀ ଓ ନୋଟା ଚିହ୍ନ ସମ୍ବଳିତ ସ୍ବତନ୍ତ୍ର ବ୍ୟାଲଟ୍ ପେପର୍ ଛପାଯାଇଥିଲା। ଆଜି ସେସବୁ ବ୍ରେଲି ବ୍ୟାଲଟ୍ ପଠାଯାଇଛି। ଗତ ମାସରେ ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ପାଇଁ ମଧ୍ୟ ବ୍ରେଲି ବ୍ୟାଲଟ୍‌ ପଠାଯାଇଥିଲା। ଗଞ୍ଜାମ ସହକାରୀ ଜିଲ୍ଲାପାଳ (ନିର୍ବାଚନ) ବରଗଡ଼ ଜିଲ୍ଲା ପାଇକମାଳ ତହସିଲଦାରଙ୍କୁ ବ୍ୟାଲଟ୍ ହସ୍ତାନ୍ତର କରିଛନ୍ତି। ଅକ୍ଟୋବର ୩ ତାରିଖରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ନଭେମ୍ବର ୫ରେ ଉପନିର୍ବାଚନ ପାଇଁ ଘୋଷଣା କରାଯାଇଥିଲା। ଆସନ୍ତା ମାସ ୫ ତାରିଖରେ ଭୋଟ ଗ୍ରହଣ କରାଯିବ।

Comments are closed.