ବ୍ରହ୍ମପୁର ପୋଲିସ ନଜରରେ କ୍ୟାମ୍ପସ୍… ରାଗିଂ ରୋକିବାକୁ ଆଇନଗତ ଓ ସାମାଜିକ ପ୍ରୟାସ 

ବ୍ରହ୍ମପୁର: କ୍ୟାମ୍ପସ୍‌ରେ ରାଗିଂ ଭଳି କୁତ୍ସିତ କାର୍ଯ୍ୟ କେବଳ ଯେ ପୀଡ଼ିତ ଛାତ୍ରଛାତ୍ରୀଙ୍କୁ ଶାରୀରିକ ଓ ମାନସିକ ଭାବେ ନିର୍ଯାତିତ କରି ସେମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକସ୍ତରରେ ଏକରକମ ଭିନ୍ନକ୍ଷମ କରି ଦେଇଥାଏ, ଏଥିସହ ସେମାନଙ୍କ ଅଭିଭାବକଙ୍କୁ ମଧ୍ୟ ସମାନ ଭାବେ ଜୀବନସାରା ଯନ୍ତ୍ରଣା ଦେଇଥାଏ। ଏପରିକି ଅନେକ କ୍ଷେତ୍ରରେ ପୀଡ଼ିତଙ୍କ କ୍ୟାରିୟର୍, ଜୀବନକୁ ଦୁର୍ବିସହ କରି ପକାଏ। ଏଣୁ ରାଗିଂ ବିରୋଧରେ ଗତ କିଛି ବର୍ଷ ହେଲା ନ୍ୟାୟପାଳିକାରୁ ଆରମ୍ଭ କରି ପୋଲିସ, ସରକାରୀ ସ୍ତରରେ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗତ କିଛି ଦିନ ମଧ୍ୟରେ ବ୍ରହ୍ମପୁର ସହରର ଗୋଟିଏ ପରେ ଗୋଟିଏ ଉଚ୍ଚ ଶିକ୍ଷାନୁଷ୍ଠାନରୁ ରାଗିଂ ଅଭିଯୋଗ ଆସିବା ସହ ଏକାଧିକ ଏଭଳି ଘଟଣା ଘଟିବା ପରେ ରାଗିଂକୁ ମୁଳୋତ୍ପାଟନ କରିବା ସକାଶେ ତତ୍ପରତା ପ୍ରକାଶ କରିଛି ବ୍ରହ୍ମପୁର ପୋଲିସ। ଖୋଦ୍ ଏସ୍‌ପି ଡା. ସର୍ବଣା ବିବେକ ଏମ୍ ଏହାର ନେତୃତ୍ବ ନେଇଛନ୍ତି। ବ୍ରହ୍ମପୁର ପୋଲିସ ରାଗିଂକୁ ରୋକିବା ଦିଗରେ କେବଳ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତା ନୁହେଁ, ବରଂ ଏଥିସହ ସାମାଜିକସ୍ତରରେ ମଧ୍ୟ ସଚେତନତା ସୃଷ୍ଟି ଏବଂ ଆଗୁଆ ପ୍ରତିକାର ପଦକ୍ଷେପ ସ୍ବରୂପ ଯେଭଳି କ୍ୟାମ୍ପସ୍‌ରେ ରାଗିଂମୁକ୍ତ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ ସେଥିପାଇଁ ଆଲୋଚନା ଆରମ୍ଭ କରିଛି। ଏଥିସହ ସ୍ବତନ୍ତ୍ର ପୋଲିସ ଟିମ୍ ବିଭିନ୍ନ ମହାବିଦ୍ୟାଳୟ ବୁଲି କଲେଜ କର୍ତ୍ତୃପକ୍ଷଙ୍କ ସାଙ୍ଗରେ ଆଲୋଚନା କରି ଯେଭଳି ରାଗିଂକୁ ସମ୍ପୂର୍ଣ୍ଣ ରୋକିହେବ ଏବଂ ଆଗକୁ ଏଭଳି ଅଘଟଣର ପୁନରାବୃତ୍ତି ଯେପରି ନହୁଏ ସେଥିପାଇଁ ପଦକ୍ଷେପ ନେଉଛି।

ସାଧାରଣତଃ ଦେଖାଯାଏ ଯେତେବେଳେ ରାଗିଂ ଘଟଣା ନଜରକୁ ଆସେ, ସେତେବେଳେ ପ୍ରାୟତଃ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ହିଁ ଏହି ମାମଲାରେ ଯାହା କିଛି ପଦକ୍ଷେପ ଗ୍ରହଣ କରିଥାନ୍ତି। କିନ୍ତୁ ବ୍ରହ୍ମପୁର ପୋଲିସ ଏ ଦିଗରେ ନିଜ ଆଡୁ ସକ୍ରିୟତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିନାୟକ ଆଚାର୍ଯ୍ୟ କଲେଜରେ ଛାତ୍ରୀଙ୍କୁ ଖୋଲାଖୋଲି ରାଗିଂ ଘଠଣାରେ ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩ ଜଣ ଛାତ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଆଉ ୨ ଜଣ ନାବାଳକ ଛାତ୍ରଙ୍କୁ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡରେ ହାଜର କରିଥିଲା। ତେବେ ଏତିକିରେ ହାତ ବାନ୍ଧି ବସି ଯାଇ ନଥିଲା ପୋଲିସ। ବରଂ କ୍ୟାମ୍ପସକୁ ନିଜେ ଆସି ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କ ସହ ଘଟଣା ବାବଦରେ ପ୍ରତ୍ୟକ୍ଷ ଭାବେ ଆଲୋଚନା କରିଥିଲେ ଏସ୍‌ପି ଡା. ସର୍ବଣା ବିବେକ ଏମ୍। ଏଥିସହ ରାଗିଂ ପରି ଘୃଣିତ କାର୍ଯ୍ୟର ପ୍ରତ୍ୟକ୍ଷଦର୍ଶୀ ସାଜି ତାହାର ବିରୋଧ କରିବା ବଦଳରେ ପ୍ରୋତ୍ସାହିତ କରିଥିବା, ଅଭିଯୁକ୍ତକୁ ସମର୍ଥନ ଓ ପୀଡ଼ିତଙ୍କୁ ହତୋତ୍ସାହିତ କରିଥିବା ଅନ୍ୟ ୧୨ ଜଣ ଛାତ୍ରଛାତ୍ରୀଙ୍କ ବିରୋଧରେ ଅନୁଷ୍ଠାନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିଶ୍ କରିଥିଲେ ଏସପି। ଯାହାଫଳରେ କଲେଜ ପ୍ରଶାସନ ଏଭଳି ୧୨ ଜଣ ଛାତ୍ରଛାତ୍ରୀଙ୍କୁ ଟିସି ଦେଇ ବିତାଡ଼ିତ କରିଥିଲା। ପୋଲିସର ଏହି ପଦକ୍ଷେପ ସମାଜରେ, ସହରରେ ଏକ ଉଦାହରଣ ସୃଷ୍ଟି କରିଥିଲା ଯେ ରାଗିଂ ଭଳି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ହେଲେ କିଭଳି ଦଣ୍ଡ ଭୋଗିବାକୁ ପଡ଼ିପାରେ। ଆଇନଗତ କାର୍ଯ୍ୟାନୁଷ୍ଠାନ ବାଦେ ଏଭଳି ପଦକ୍ଷେପ ରାଗିଂକୁ ଯେ ମୂଳୋତ୍ପାଟନ କରିବାରେ କିଭଳି ସହାୟକ ହେବ, ତାହା ବେଶ୍ ସ୍ପଷ୍ଟ।

ପରବର୍ତ୍ତୀ ସମୟରେ ଖଲ୍ଲିକୋଟ ଜୁନିଅର କଲେଜ, ଏମ୍‌କେସିଜି ମେଡିକାଲ କଲେଜରେ ମଧ୍ୟ ଛାତ୍ରୀଙ୍କୁ ସହପାଠୀଙ୍କ ଦ୍ବାରା ରାଗିଂ ବା ନିର୍ଯାତନାର ଅଭିଯୋଗ ଆସିଥିଲା। ଉଭୟ କ୍ଷେତ୍ରରେ ପୋଲିସ ତତ୍ପରତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ କାବୁ କରିବା ସହ ଆବଶ୍ୟକ ପଦକ୍ଷେପ ନେଇଛି। ଏଥିସହ ରାଗିଂକୁ ରୋକିବା ସକାଶେ ନିଜ ଆଡୁ ବ୍ୟାପକ ପଦକ୍ଷେପ ନେଇଛି ବ୍ରହ୍ମପୁର ପୋଲିସ। କ୍ୟାମ୍ପସ୍‌ରେ ଆଣ୍ଟି ରାଗିଂ କମିଟିକୁ ସକ୍ରିୟ କରିବା, ରାଗିଂକୁ ରୋକିବା ପାଇଁ ପୋଲିସ ପଇଁତରା ଆଦିକୁ କାର୍ଯ୍ୟକାରୀ କରାଯାଇଛି। ରାଗିଂମୁକ୍ତ କ୍ୟାମ୍ପସ୍ କରିବାକୁ ପୋଲିସ ପକ୍ଷରୁ ପ୍ରୟାସ ସ୍ବରୂପ ଖୋଦ୍ ଏସ୍‌ପି ନିଜସ୍ୱ ଉଦ୍ୟମରେ ସହରର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟକ୍ଷା, ଆଣ୍ଟି ରାଗିଂ କମିଟି ସଦସ୍ୟଙ୍କୁ ଡାକି ଆଲୋଚନା କରିଛନ୍ତି। ଯେହେତୁ ଅଧିକାଂଶ କ୍ଷେତ୍ରରେ ନୂଆ କରି କଲେଜରେ ପାଦ ଥାପୁଥିବା ଛାତ୍ରଛାତ୍ରୀ ରାଗିଂର ଶିକାର ହୋଇଥାନ୍ତି, ତେଣୁ ସେମାନେ କାହାକୁ ଅଭିଯୋଗ କରିବେ ତାହା ଜାଣିବା ଦରକାର ବୋଲି ଗୁରୁତ୍ବାରୋପ କରିଥିଲେ ଏସ୍‌ପି। ଆଣ୍ଟି ରାଗିଂ କମିଟି ନବାଗତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା, କମିଟି ସଦସ୍ୟଙ୍କ ମୋବାଇଲ୍ ନମ୍ବର ସମସ୍ତଙ୍କୁ ଅବଗତ କରାଇବାକୁ କହିଥିଲେ ଏସପି। ସାମାନ୍ୟ ରାଗିଂ ଘଟଣା ଜଣାପଡିଲେ ବି କଲେଜ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଏବଂ ଅପରାଧିକ ମାମଲା ହୋଇଥିଲେ ପୋଲିସକୁ ଅବଗତ କରାଇବାକୁ ଏସ୍‌ପି ପରାମର୍ଶ ଦେଇଥିଲେ। ଏହାଦ୍ୱାରା କ୍ୟାମ୍ପସ୍‌ରେ ଏକ ରାଗିଂ ଭୟମୁକ୍ତ ବାତାବରଣ ସୃଷ୍ଟି ହୋଇପାରିବ ବୋଲି ଆଶା କରାଯାଉଛି।

ଏଥିସହ ସବୁଠୁ ଚର୍ଚ୍ଚିତ ହୋଇଥିବା ରାଗିଂ ଘଟଣା ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ବିନାୟକ ଆଚାର୍ଯ୍ୟ କଲେଜ ରାସ୍ତା ଏବଂ କ୍ୟାମ୍ପସ୍ ବାହାରେ ପାଟ୍ରୋଲିଂ କରିବାକୁ ଏସ୍‌ପି ବଡ଼ବଜାର ଥାନାକୁ ନିର୍ଦ୍ଦେଶ ଦେଇଥିଲେ। ପୀଡ଼ିତା ଛାତ୍ରୀଙ୍କ ପରିବାର ଲୋକଙ୍କ ସହ ମଧ୍ୟ ପୋଲିସ ଆଲୋଚନା କରିଥିଲା। ପୀଡ଼ିତା ଛାତ୍ରୀଙ୍କ ପାଠ ପଢ଼ାରେ ଯେମିତି ଅସୁବିଧା ନହେବ ସେଥିପ୍ରତି ନଜର ଦେବାକୁ ପରିବାର ଲୋକଙ୍କୁ ବୁଝାସୁଝା କରାଯାଇଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି। ଏଭଳି କରି ମାନବୀୟ ସମ୍ବେଦନଶୀଳତାର ପରିଚୟ ଦେଇପାରିଛନ୍ତି ବ୍ରହ୍ମପୁର ଏସପି। ଏଥିସହ ଗୁରୁବାରରୁ ସ୍ବତନ୍ତ୍ର ପୋଲିସ ଟିମ୍ ସହର ଓ ଅନ୍ୟ ଅଞ୍ଚଳର ବିଭିନ୍ନ ମହାବିଦ୍ୟାଳୟ ବୁଲି କଲେଜ କ୍ୟାମ୍ପସ୍ ଯେଭଳି ରାଗିଂମୁକ୍ତ ରହିବ ସେଥିପାଇଁ ଆଲୋଚନା କରି ସଚେତନତା ସୃଷ୍ଟି କରିବା ଆରମ୍ଭ କରିଛି। ରାଗିଂ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସତର୍କ କରାଇ ଦେଉଛି। ରାଗିଂ ଉଦ୍ୟମ ହେଲେ ପୋଲିସର ଦ୍ୱାରସ୍ଥ ହେବାକୁ ସଚେତନତା ସୃଷ୍ଟି କରାଯାଉଛି। ମୋଟାମୋଟି ଭାବେ ଏସ୍‌ପିଙ୍କ ତତ୍ତ୍ଵାବଧାନରେ କଲେଜ କ୍ୟାମ୍ପସରୁ ରାଗିଂ ଭୟ ଓ କୁତ୍ସିତ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଦୂରେଇବାକୁ ପ୍ରୟାସ କରାଯାଉଛି।

Comments are closed.