ବିଧାନସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପିତ, ୧୬ ହଜାର ୮୦୦ କୋଟିର ବ୍ୟୟବରାଦ 

ଭୁବନେଶ୍ୱର – ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି । ଗୃହରେ ବଜେଟ ଉପସ୍ଥାପନା କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ବଜେଟରେ ମୋଟ ୧୬,୮୦୦ କୋଟିର ବ୍ୟୟ ବରାଦ କରାଯାଇଛି । ଯେଉଁଥିରୁ ପ୍ରଶାସନିକ ବ୍ୟୟ ନିମନ୍ତେ ୪୯୩୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବାବେଳେ କାର୍ଯ୍ୟକ୍ରମ ବ୍ୟୟ ୯,୨୦୦ କୋଟି ରହିଛି ।

ବଜେଟରେ ଗୃହ ବିଭାଗ ପାଇଁ ୩୦୫ କୋଟିର ବ୍ୟୟ ବରାଦ କରାଯାଇଥିବାବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଲାଗି ୧୧୦୧.୫୧ କୋଟି, ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗ ଲାଗି ୭୮୨.୦୪ କୋଟି, ପଞ୍ଚୟତିରାଜ ଓ ପାନୀୟଜଳ ବିଭାଗ ଲାଗି ୮୫୪.୯୫ କୋଟି, ଜଳ ସମ୍ପଦ ବିଭାଗ ପାଇଁ ୧୫୯୫.୫୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ଅତିରିକ୍ତ ବଜେଟରେ କାର୍ଯ୍ୟକ୍ରମ ବ୍ୟୟ ନିମନ୍ତେ ବ୍ୟୟବରାଦ ହୋଇଥିବା ୯୨୦୦ କୋଟିରୁ ୨୦୬୬ କୋଟି ଟଙ୍କା ସହବନ୍ଧିତ ସମ୍ବଳ ସୂତ୍ରରୁ ଓ ୭୧୩୪ କୋଟି ଟଙ୍କା ଅତିରିକ୍ତ ରାଜସ୍ୱ ଦ୍ୱାରା ଭରଣା କରାଯିବ ।

ଜନସ୍ୱାସ୍ଥ୍ୟ ସେବା ପାଇଁ ଅତିରିକ୍ତ ବଜେଟରେ ୮୬୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଯେଉଁଥିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୬୩୮ କୋଟି ଟଙ୍କା ପ୍ରଦାନ କରାଯାଇଛି । ତା ସହିତ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ଅତିରିକ୍ତ ବଜେଟରେ ୫୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଅତିରିକ୍ତ ବଜେଟରେ ମହିଳା ସଶକ୍ତିକରଣ ଓ ଶିଶୁ ବିକାଶ ପାଇଁ ୧୭୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ପାଇଁ ମୋଟ ୪୩୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଅନ୍ୟପଟେ ଶିକ୍ଷା, କ୍ରୀଡା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ଅତିରିକ୍ତ ବଜେଟରେ ୨୦୮୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

Comments are closed.