ଭିନ୍ନକ୍ଷମ ବୃଦ୍ଧଙ୍କ ଅଭିଯୋଗ ଶୁଣିବାକୁ ଚ୍ୟାମ୍ବରରୁ ବାହାରି ଆସିଲେ ବ୍ରହ୍ମପୁର ଏସ୍‌ପି 

ବ୍ରହ୍ମପୁର: ସୋସିଆଲ୍ ମିଡିଆ ଚର୍ଚ୍ଚାରେ ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍। ହେବେନି ବା କାହିଁକି। ପୂର୍ବରୁ ପେଶାରେ ଜଣେ ଡାକ୍ତର ଥିଲେ। ମନ ଓ ହୃଦୟରେ ରୋଗୀ ସେବା ଭାବନା ଭରି ରହିଥିଲା। ତାଙ୍କ ଜୀବନ ସଂଘର୍ଷ ମଧ୍ୟ ତାଙ୍କୁ ଜଣେ ସମ୍ବେଦନଶୀଳ, ବିବେକବାନ ମଣିଷ ଭାବେ ଗଢ଼ି ତୋଳିଥିଲା। ଜଣେ ଆଇପିଏସ୍ ଭାବେ ବର୍ତ୍ତମାନ କାର୍ଯ୍ୟରତ ଥିଲେ ହେଁ ତାଙ୍କ ମଧ୍ୟରେ ପୂର୍ବବତ୍ ଦରଦୀ ମଣିଷଟିଏ ନିଜ ସ୍ଥାନ ବଜାୟ ରଖିଛି। ଆଉ ତାଙ୍କ କାର୍ଯ୍ୟରେ ଏହାର ପ୍ରତିଫଳନ ମଧ୍ୟ ଦେଖିବାକୁ ମିଳୁଛି। ଏଇ ଯେମିତି ଜଣେ ଭିନ୍ନକ୍ଷମ ବୃଦ୍ଧ ନିଜ ଅଭିଯୋଗ ନେଇ ଯେତେବେଳେ ଏସପିଙ୍କ କାର୍ଯ୍ୟାଳୟକୁ ରିକ୍ସାରେ ଆସିଥିଲେ ଓ ଏହା ଜାଣି ଏସପି କାଳବିଳମ୍ବ ନକରି ନିଜ ଚ୍ୟାମ୍ବରରୁ ବାହାରି ଆସିଥିଲେ। ନିଜେ ସେହି ଭିନ୍ନକ୍ଷମ ବୟସ୍କ ବ୍ୟକ୍ତିଙ୍କ ପାଖକୁ ଚାଲି ଆସି ତାଙ୍କ ଅଭିଯୋଗ ଶୁଣିଥିଲେ। ସମସ୍ୟାର ପ୍ରତିକାର କରିବାକୁ ସମ୍ପୃକ୍ତ ଥାନାଧିକାରୀଙ୍କୁ ନିର୍ଦ୍ଦେଶ ବି ଦେଇଥିଲେ।

ଘଟଣାଟି ବୁଧବାର ଦିନର। ନିଜ ଦୁଃଖ ଓ ଅଭିଯୋଗ ଶୁଣାଇବା ପାଇଁ ଏସପି ଅଫିସ୍ ଆସିଥିଲେ ଗୋସାଇଁନୂଆଗାଁ ନୂଆ ସାହିର ୬୦ ବର୍ଷ ବୟସ୍କ ଲକ୍ଷ୍ମୀ କୁମାର ପାତ୍ର।ଭାଇମାନେ ତାଙ୍କରି ଭାଗରେ ଥିବା ସମ୍ପତ୍ତିକୁ ହଡ଼ପ କରିନେଇଛନ୍ତି।ପୈତୃକ ଘରୁ ବଳପୂର୍ବକ ବାହାର କରି ଦେଇଛନ୍ତି। ଅନ୍ୟ ଉପାୟ ନପାଇ ସେ ଭିକ୍ଷାବୃତ୍ତି କରି ପେଟ ପାଇଁ କଷ୍ଟେମଷ୍ଟେ ଦାନା ଯୋଗାଡୁଛନ୍ତି। ଅନ୍ତତଃ ଶୀତ ଓ ବର୍ଷା ଦିନରେ ମୁଣ୍ଡ ଗୁଞ୍ଜିବାକୁ ଛୋଟ ହେଉ ପଛେ ଘରଟିଏ ଲୋଡ଼ା। ଏସ୍‌ପି ଡା. ସର୍ବଣା ବିବେକ ଏମ୍ ଯେତେବେଳେ ଅଭିଯୋଗକାରୀ ଭିନ୍ନକ୍ଷମ ଏବଂ ବୃଦ୍ଧ ବୋଲି ଜାଣିବାକୁ ପାଇଥିଲେ ତୁରନ୍ତ ନିଜ ସିଟରୁ ଉଠି ପ୍ରକୋଷ୍ଠରୁ ବାହାରି ବୃଦ୍ଧଙ୍କ ପାଖରେ ପହଞ୍ଚିଥିଲେ। ଲକ୍ଷ୍ମୀ କୁମାରଙ୍କୁ ତାଙ୍କ ସମସ୍ୟା ପଚାରି ବୁଝିଥିଲେ। ଏସ୍‌ପିଙ୍କୁ ଏଭଳି ନିଜର ଅତି ପାଖରେ ପାଇ ଲକ୍ଷ୍ମୀ କୁମାର ନିଜ ସମସ୍ୟା ବଖାଣିଥିଲେ। ତୁରନ୍ତ ତଦନ୍ତ ନିମନ୍ତେ ଗୋସାଇଁନୂଆଗାଁ ଥାନାକୁ ନିର୍ଦ୍ଦେଶ ଦେଇଥିଲେ ଏସ୍‌ପି। ବାସ୍ତବରେ ଏଥିରୁ ତାଙ୍କ ନମ୍ରତା, ତୃଣମୂଳ ସ୍ତରର ଲୋକଙ୍କ ପ୍ରତି ତାଙ୍କର ଅନୁକରଣୀୟ ବ୍ୟବହାରର ପରିଚୟ ମିଳେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଆଦର୍ଶ ଓ ସମ୍ବେଦନଶୀଳ ଶାସନ ପ୍ରଶାସନର ବିଚାରଧାରା ତଥା ୫-ଟି କାର୍ଯ୍ୟଧାରାର ସଠିକ୍ ପ୍ରତିଫଳନ ଏହି ଘଟଣାରେ ଦେଖିବାକୁ ମିଳିଥିଲା। ଏହି ଘଟଣା ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ଓ ଏଥିନିମନ୍ତେ ବ୍ରହ୍ମପୁର ଏସପିଙ୍କୁ ସାଧାରଣରେ ଉଚ୍ଚପ୍ରଶଂସା କରାଯାଉଛି।

Comments are closed.