ଗାଁ ଲୋକଙ୍କ ନିସ୍ତୁକ ମାଡ଼ରେ ଜଣେ ମୃତ, ଜଣେ ଗୁରୁତର

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ କିଡିଗାଁରେ ଗ୍ରାମବାସୀଙ୍କ ନିସ୍ତୁକ ମାଡ଼ରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଆଉ ଜଣେ ସନ୍ଦିଗ୍ଧ ଲୋକ ଏହି ଘଟଣାରେ ଗୁରୁତର ହୋଇଛନ୍ତି। ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇପାରି ନାହିଁ। ଗୁରୁବାର ରାତିରେ ଏହି ଘଟଣା ଘଟିଛି। ଚୋର ସନ୍ଦେହ କରି କିମ୍ବା ମଦ ଚୋରା କାରବାରକୁ ନେଇ ଏହି ଘଟଣା ସଂଘଟିତ ହୋଇଥିବା ସନ୍ଦେହ କରାଯାଉଛି। କାଶୀନଗର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଗୁରୁବାର ରାତିରେ ଦୁଇ ଜଣ ସନ୍ଦିଗ୍ଧ ଲୋକ ଗାଁରେ ଇତସ୍ତତଃ ଭାବେ ବୁଲୁଥିବା ଦେଖି ଗାଁର କିଛି ଯୁବକ ସେମାନଙ୍କୁ ପଚରାଉଚରା କରିଥିଲେ। ସେମାନେ କିଛି କହି ନପାରିବାରୁ ଗାଁ ଲୋକଙ୍କ ସନ୍ଦେହ ବୃଦ୍ଧି ପାଇଥିଲା। ଗ୍ରାମବାସୀ ସେମାନଙ୍କୁ କାବୁ କରି ନିସ୍ତୁକ ପିଟିଥିଲେ। ଦୁହିଁଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ଖବର ପାଇ କାଶୀନଗର ଥାନା ପୋଲିସ ଗାଁରେ ପହଞ୍ଚି ଗୁରୁତର ଦ୍ବୟଙ୍କୁ କାଶୀନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ ସେଥିରୁ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ବ୍ୟକ୍ତିଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Comments are closed.