ରଙ୍ଗେଇଲୁଣ୍ଡାରେ ମେଗା ମିଶନ ଶକ୍ତି ଋଣ ମେଳା

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ରଙ୍ଗେଇଲୁଣ୍ଡାରେ ମିଶନ ଶକ୍ତି ବ୍ଲକସ୍ତରୀୟ ଋଣ ମେଳା ଆୟୋଜିତ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଋଣମେଳାକୁ ଉଦଘାଟନ କରିଥିଲେ । ମେଳାରେ ୧୨ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ଆଜି ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ-ଏସଏଚଜି କୁ ଋଣ ପ୍ରଦାନ କରାଯାଇଛି । ଆଜି ୫୯୧ଟି ଏସଏଚଜିଙ୍କୁ ୧୮ କୋଟି ୧୦ ଲକ୍ଷ ୪୫ ହଜାର ବ୍ୟାଙ୍କ ଋଣ ପ୍ରଦାନ କରାଯାଇଥିବା ବେଳେ ୧୫୦ ଏସଏଚଜିଙ୍କୁ ୨ କୋଟି ୨୧ ଲକ୍ଷ ୧୫ ହଜାର ଟଙ୍କା ସିଆଇଏଫ ଋଣ ଦିଆଯାଇଛି। ପିଏମଏଫଏମଇ ବାବଦରେ ୬୫ ଲକ୍ଷ ୨୬ ହଜାର ୪୦୦ ଟଙ୍କା ଦିଆଯାଇଥିବା ବେଳେ ୨୬ଟି ଏସଏଚଜିଙ୍କୁ ବିଏଲଏଫରୁ ୨୨ ଲକ୍ଷ ୫୦ ହଜାର ଟଙ୍କା ଋଣ ଦିଆଯାଇଛି। ଆଜି ମୋଟ ୭୬୭ଟି ଏସ ଏଚଜିଙ୍କୁ ୨୧ କୋଟି ୧୯ ଲକ୍ଷ ୩୬ ହଜାର ୪୦୦ କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଋଣ ମେଳାକୁ ସମ୍ବୋଧିତ କରିଥିଲେ । ଓଡ଼ିଶାର ମହିଳାଙ୍କୁ ମିଶନ ଶକ୍ତି ଏକ ନୂଆ ପରିଚୟ ଦେଇଥିବା ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ । ମିଶନ ଶକ୍ତି ଋଣ ମେଳା ଏସଏଚଜି ମହିଳାଙ୍କୁ ବେଶ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତା ୪ ମାସ ମଧ୍ୟରେ ଗଞ୍ଜାମ ଜିଲ୍ଲାର ସବୁ
ମହିଳା ଏସଏଚଜି କ୍ରେଡିଟ ଲିଙ୍କେଜ ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେବ୍ରଂମ କହିଥିଲେ ଯେ ମିଶନ ଶକ୍ତି ଦ୍ଵାରା ମହିଳାଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଛି। ଋଣ ମେଳା ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ମହାନଗର ନିଗମ କମିଶନର ଜେ . ସୋନାଲ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ଡେପୁଟି ମେୟର ବିବେକ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.