ଜଜଙ୍କ ଅଶ୍ଳୀଳ ଭିଡିଓ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ହସ୍ତକ୍ଷେପ, ଜଜ୍ ଓ ମହିଳା ଷ୍ଟେନୋଗ୍ରାଫର ନିଲମ୍ବିତ

ନୂଆଦିଲ୍ଲୀ: ଜଣେ ଜଜଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ମାମଲାରେ ଦିଲ୍ଲୀ ହାଇକୋର୍ଟ ନିଜଆଡୁ ହସ୍ତକ୍ଷେପ କରିଛନ୍ତି । ହାଇକୋର୍ଟ ଏହି ମାମଲାରେ ରାଉସ୍ ଆଭେନ୍ୟୁ କୋର୍ଟର ଅତିରିକ୍ତ ସେସନ୍ସ ଜଜ୍ ଏବଂ ତାଙ୍କ ମହିଳା ଷ୍ଟେନୋଗ୍ରାଫରଙ୍କୁ ତତ୍କାଳ ନିଲମ୍ବିତ କରିଛନ୍ତି। ଏହାଛଡ଼ା କୋର୍ଟ ଏହି ମାମଲାର ତଦନ୍ତ ପାଇଁ ଏକ କମିଟି ମଧ୍ୟ ଗଠନ କରିଛନ୍ତି। ଏହି ଭିଡିଓ ପ୍ରସାରଣ ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି କୋର୍ଟ । ଏହି ଭାଇରାଲ ଭିଡ଼ିଓରେ ରାଉସ୍ ଆଭେନ୍ୟୁ କୋର୍ଟର ଜଣେ ଜଜ୍ ତାଙ୍କର ଜଣେ ମହିଳା କର୍ମଚାରୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ମିଳୁଛି ।

ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଏହି ଭିଡିଓ ଭାଇରାଲ ମାମଲାରେ ନିଜଆଡୁ ହସ୍ତକ୍ଷେପ କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସମ୍ପୃକ୍ତ ମହିଳା ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଓ ସେସନ୍ସ ଜଜଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଆପତ୍ତିଜନକ ଭିଡିଓ ମାର୍ଚ୍ଚର ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ଭାଇରାଲ ହେଉଥିବା ଭିଡିଓ ବିଚାରପତିଙ୍କ ଚାମ୍ବରର ବୋଲି କୁହାଯାଉଛି । ବିଚାରପତିଙ୍କ ଚାମ୍ବରରେ ଏହି ଭିଡିଓ କିପରି କରାଯାଇଥିଲା ତାହା ମଧ୍ୟ ଯାଞ୍ଚ୍ କରାଯିବ। ମହିଳା ଷ୍ଟେନୋଗ୍ରାଫର ଏବଂ ବିଚାରପତିଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଏଭଳି ଅନୈତିକ କାର୍ଯ୍ୟକଳାପ ଚାଲିଥିବା ନେଇ କୋର୍ଟରେ ଚର୍ଚ୍ଚା ହୋଇଆସୁଥିଲା । ଭିଡିଓ ବନାଇବା ପଛରେ କୋର୍ଟ ଷ୍ଟାଫଙ୍କ ହାତ ଅଛି ବୋଲି କୁହାଯାଉଛି।

ଏହି ଭିଡିଓ ଭାଇରାଲ ହେବା ପରେ ଓକିଲମାନେ ଏହି ମାମଲାର ତଦନ୍ତ ଦାବି କରିଥିଲେ। ସୂଚନାନୁସାରେ, କେହି ଜଣେ ଏହି ଭିଡିଓକୁ ହାଇକୋର୍ଟର‌ ମୁଖ୍ୟ ବିଚାରପତିଙ୍କ ନିକଟକୁ ପଠାଇ ଦେଇଥିଲେ । ସେ ଏହାକୁ ଗୁରୁତର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

Comments are closed.