ରକ୍ତ ଦଲାଲକୁ ଭଞ୍ଜନଗର ଡାକ୍ତରଖାନାରୁ ଧରିଲା ପୋଲିସ

ଭଞ୍ଜନଗର: ଜଣେ ମ୍ୟାଲେରିଆ ରୋଗୀଙ୍କ ପାଇଁ ରକ୍ତ ଯୋଗାଡ଼ କରାଇ ଦେବାକୁ କହି ପରିବାର ଲୋକଙ୍କ ଠାରୁ ୪୫୦୦ ଟଙ୍କା ଜୋରଜବରଦସ୍ତ ମାଗୁଥିଲା। ପରିବାର ଲୋକଙ୍କ ସନ୍ଦେହ ହେବାରୁ ସେମାନେ ପୋଲିସ ସହ ଯୋଗାଯୋଗ କରିଥିଲେ। ଭଞ୍ଜନଗର ଥାନା ପୋଲିସ ସ୍ଥାନୀୟ ଡାକ୍ତରଖାନାରୁ ଜଣେ ଦଲାଲକୁ ଧରିଛି। ତା ସହ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାର ଖୋଳତାଡ଼ କରୁଛି ପୋଲିସ। ଭଞ୍ଜନଗର ଥାନାଅଧିକାରୀ ଧୀରେଶ ଦାସ କହିଛନ୍ତି ଯେ ଭଞ୍ଜନଗର ଡାକ୍ତରଖାନାରେ ଚିକିତ୍ସାଧୀନ ଜଣେ ମ୍ୟାଲେରିଆ ରୋଗୀଙ୍କ ପାଇଁ ‘ବିପଦର ବନ୍ଧୁ’ ଅନୁଷ୍ଠାନର ସ୍ବେଚ୍ଛାସେବୀମାନେ ଗୋଟିଏ ୟୁନିଟ୍ ରକ୍ତ ଯୋଗାଡ଼ କରିଥିଲେ। ଆଜି ଆଉ ଏକ ୟୁନିଟ୍ ରକ୍ତ ଆବଶ୍ୟକତା ପଡ଼ିଥିଲା। ଦଲାଲଜଣକ ରକ୍ତ ଦେଇ ୪୫୦୦ ଟଙ୍କା ମାଗିଥିଲା। ବିଶ୍ଵ ଏଡ୍‌ସ ଦିବସରେ ବିପଦର ବନ୍ଧୁ ଅନୁଷ୍ଠାନ ବ୍ୟସ୍ତ ଥିବା ସୁଯୋଗ ନେଇ ଦଲାଲ ଜଣଙ୍କ ରୋଗୀଙ୍କୁ ଶୋଷଣ ଉଦ୍ୟମ କରିଥିଲା। ରୋଗୀଙ୍କ ସମ୍ପର୍କୀୟଙ୍କ ସନ୍ଦେହ ଜାତ ହେବାରୁ ସେମାନେ ତୁରନ୍ତ ବିପଦର ବନ୍ଧୁ ସ୍ବେଚ୍ଛାସେବୀଙ୍କ ସହ ଯୋଗାଯୋଗ କରି ସତ କଥା ଜାଣିପାରି ଦଲାଲ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଡାକ୍ତରଖାନାରୁ ଦଲାଲକୁ କାବୁ କରିଥିଲା। ପୂର୍ବରୁ ବ୍ରହ୍ମପୁର ବଡ ଡାକ୍ତରଖାନା, ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରୁ ଦଲାଲଙ୍କୁ କାବୁ କରିଥିଲା ପୋଲିସ।

Comments are closed.