ପଦ୍ମପୁର ଝାରବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା, କହିଲେ ସେ କଥା ନୁହେଁ, କାମରେ ବିଶ୍ୱାସ କରନ୍ତି

ପଦ୍ମପୁର – ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ତଥା ଦଳର ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଝାରବନ୍ଧରେ ପ୍ରଥମେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିବା ସହ ଜନସଭାକୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୟ ନୃସିଂହନାଥରୁ ଭାଷଣ ଆରମ୍ଭ କରିଥିଲେ ନବୀନ । ଗଙ୍ଗାଧର ମେହେରଙ୍କ ଏ ପବିତ୍ର ମାଟିକୁ ପ୍ରଣାମ ଜଣାଇବା ସହ ଝାରବନ୍ଧ ଅଞ୍ଚଳବାସୀଙ୍କୁ ଜୁହାର ଜଣାଇ ଏତେ ସଂଖ୍ୟାରେ ସଭାକୁ ଆସିଥିବାରୁ ଚାଷୀ, ମା, କେନ୍ଦୁପତ୍ର ତୋଳାଳୀ ଓ ଜନଜାତି ଭାଇଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନବୀନ କହିଥିଲେ ଯେ, ସେ ସବୁବେଳେ ଓଡ଼ିଶାବାସୀଙ୍କ ସୁଖ ଦୁଃଖରେ ସାମିଲ ହୋଇଛନ୍ତି।

ବିଜେଡି ସୁପ୍ରିମୋ କହିଛନ୍ତି ଯେ, ସେ ଗରିବଙ୍କ ହକ୍ ପାଇଁ ଲଢୁଛନ୍ତି, କେନ୍ଦୁପତ୍ର ତୋଳାଳୀଙ୍କ କଲ୍ୟାଣ ଓ ହକ୍ ପାଇଁ ତାଙ୍କ ସରକାର କାମ କରୁଛି । ଚାଷୀଙ୍କ କଲ୍ୟାଣ ଓ ହକ୍ ପାଇଁ କାମ କରାଯାଉଅଛି । ମହିଳାଙ୍କୁ ସଶକ୍ତ କରିବାକୁ ଓଡ଼ିଶା ଭଲ କାମ କରିଛି । ମା’ ମାନଙ୍କୁ ଉଦ୍ୟୋଗୀ କରିବା ଆମର ଲକ୍ଷ୍ୟ । ଜନଜାତି ଭାଇଙ୍କ କଲ୍ୟାଣ ପାଇଁ କାମ କରୁଛି ତାଙ୍କ ସରକାର। କଥା ନୁହେଁ ସେ କାମରେ ବିଶ୍ୱାସ କରନ୍ତି ବୋଲି ନବୀନ କହିଛନ୍ତି । ପଦ୍ମପୁରବାସୀଙ୍କ ଦାବି ପୂରଣ ହେବ ଓ ସ୍ୱପ୍ନ ସାକାର ହେବ । ବଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଆଶୀର୍ବାଦ କରିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.