ମାତ୍ର ୮ ଦିନ ଚାଲିଲା ପରେ ଶେଷ ହେଲା ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ବର – ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ବିଧାନସଭା ଶୀତକାଳୀନ ଅଧିବେଶନ ମାତ୍ର ୮ ଦିନ ପାଇଁ ହିଁ ଚାଲିଛି । ଶୀତକାଳୀନ ଅଧିବେଶନ ବନ୍ଦ କରିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରସ୍ତାବ ଦେଇଥିଲେ। ଏହାକୁ ଶାସକ ଦଳ ବିଧାୟକମାନେ ସମର୍ଥନ ଜଣାଇଥିଲେ। ପରେ ବାଚସ୍ପତି ସରକାରୀ ଦଳ ମୁଖ୍ୟ ସଚେତକଙ୍କ ପ୍ରସ୍ତାବକୁ ଗୃହୀତ କରିଛନ୍ତି। ଶୀତ ଅଧିବେଶନର ଶେଷ କାର୍ଯ୍ୟ ଦିବସରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିବେଶନରେ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ। ଏହି ସମୟରେ ଗୃହରେ ବିଜେପିର ସଦସ୍ୟମାନେ ଅନୁପସ୍ଥିତ ରହିଥିଲେ।

ବିଧାନସଭାର ଶୀତ ଅଧିବେଶନ ଗତମାସ ୨୪ ତାରିଖରେ ଆରମ୍ଭ ହୋଇଥିଲା। ଏହି ଅଧିବେଶନ ଡିସେମ୍ବର ୩୧ରେ ଶେଷ ହେବାର ଥିଲା। ମାତ୍ର ୮ ଦିନର କାର୍ଯ୍ୟ ପରେ ଶେଷ ହୋଇଛି। ଏହି ଆଠ ଦିନ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ଦଳମାନେ ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା । ଶୀତକାଳୀନ ଅଧିବେଶନରେ ମାତ୍ର ୩ଟି ବିଲ୍‌ ହିଁ ପାସ ହୋଇପାରିଛି ।

Comments are closed.