ପଦ୍ମପୁର ଉପନିର୍ବାଚନ: ଦିନ ୧୧ଟା ସୁଦ୍ଧା ୨୯ ପ୍ରତିଶତ ମତଦାନ | News Room Odisha

ପଦ୍ମପୁର ଉପନିର୍ବାଚନ: ଦିନ ୧୧ଟା ସୁଦ୍ଧା ୨୯ ପ୍ରତିଶତ ମତଦାନ

ଭୁବନେଶ୍ବର – ପଦ୍ମପୁର ଉପନିର୍ବାଚନ ପାଇଁ ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଛି । ଦିନ ୧୧ଟା ସୁଦ୍ଧା ୨୯.୭୩ ପ୍ରତିଶତ ମତଦାନ ସୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ କୁମାର ଲୋହାନି ।

ଶୀତଦିନ ଓ ମାଓବାଦୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ଭୋଟିଂ । ମତଦାନ ପାଇଁ ୩୧୯ଟି ବୁଥ ହୋଇଛି । ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି । ଦୃଷ୍ଟିବାଧିତଙ୍କ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ରେଲି ବାଲଟ ବ୍ୟବସ୍ଥା । ଦିବ୍ୟାଙ୍ଗଙ୍କୁ ଭୋଟ୍ ଦେବାକୁ ସେମାନଙ୍କ ଘରୁ ଆଣି ଛାଡ଼ିବା ପାଇଁ ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଛି ।

ପ୍ରତ୍ୟେକ ବୁଥ ପାଇଁ ୪ ଜଣ ଲେଖାଏଁ ପୋଲିଂ ଅଧିକାରୀଙ୍କୁ ମିଶାଇ ନିର୍ବାଚନମଣ୍ଡଳୀରେ ମୋଟ ୧୨୭୬ ଜଣ ପୋଲିଂ କର୍ମଚାରୀ ନିୟୋଜିତ ଅଛନ୍ତି । ଇଭିଏମ୍ ତ୍ରୁଟି ଦୂର ପାଇଁ ଆବଶ୍ୟକ ଇଭିଏମ୍ ଓ ଟେକ୍ନିସିଆନ୍ ଉପସ୍ଥିତ ଅଛନ୍ତି । ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଙ୍କ ପାଇଁ ୧୫ଟି ମଡେଲ ବୁଥରେ ରାମ୍ପ, ଅସ୍ଥାୟୀ ସେଡ୍, ପିଇବା ପାଣି ବ୍ୟବସ୍ଥା କରାଯାଇଛି । ୬ଟି ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ରହିଛନ୍ତି । ନିର୍ବାଚନମଣ୍ଡଳୀରେ ୭୯ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ ହେଇଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେହିପରି ୧୨୦ଟି ସମ୍ବେଦନଶୀଳ ବୁଥରେ ହୋଇଛି ଓ୍ବେବକାଷ୍ଟିଂ ଓ ୬୬ଟି ବୁଥରେ ସିସିଟିଭି କ୍ୟାମେରା ବ୍ୟବସ୍ଥା । ୯୧ ଜଣ କେନ୍ଦ୍ରୀୟ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ହୋଇଛନ୍ତି ।

ବରଗଡ଼ ଜିଲ୍ଲା ମାଓବାଦୀ ପ୍ରବଣ ହୋଇଥିବାରୁ ୧୪୧୩ ପୋଲିସ ଅଧିକାରୀଙ୍କ ସମେତ ୯ କମ୍ପାନୀ ସଶସ୍ତ୍ର କେନ୍ଦ୍ରୀୟ ପୋଲିସ ବାହିନୀ ମୁତୟନ କରାଯାଇଛି ।