ତିନିବର୍ଷ ମଧ୍ୟରେ ଦ୍ୱିତୀୟ ଥର ଭୋଟ ଦେଲା ପଦ୍ମପୁର, ୨୦୧୯ ଅପେକ୍ଷା ରେକର୍ଡ ମତଦାନ: ୮ରେ ରେଜଲ୍ଟ 

ପଦ୍ମପୁର – ତିନି ବର୍ଷ ମଧ୍ୟରେ ଦ୍ଵିତୀୟ ଥର ଭୋଟ ଦେଇଛି ପଦ୍ମପୁର । ଏହି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ମତଦାନ । କଡ଼ାସୁରକ୍ଷା ମଧ୍ୟରେ ମତଦାନ ହୋଇଥିଲା । ସନ୍ଧ୍ୟା ୬ଟା ସୁଦ୍ଧା ମତଦାନ ହାର ୮୦.୫ % ରେକର୍ଡ କରାଯାଇଛି । ଚୂଡାନ୍ତ ମତଦାନ ହାର ଏହାଠୁ ଅଧିକ ରହିପାରେ । ୨୦୧୯ ନିର୍ବାଚନଠୁ ଅଧିକ ମତଦାନ ହୋଇଛି । ସେତେବେଳେ ମତଦାନ ହାର ଥିଲା ୭୯ ପ୍ରତିଶତରୁ ଅଧିକ । ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଙ୍କ ସହ ମୋଟ ୧୦ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ମଙ୍ଗଳବାର ସୁଦ୍ଧା ସମସ୍ତ ଇଭିଏମ୍ ଳ ପହଞ୍ଚିବା ପରେ ଆସନ୍ତା ୮ତାରିଖରେ ୧୪ଟି ଟେବୁଲରେ ପ୍ରାୟ ୨୩ ରାଉଣ୍ଡରେ ଭୋଟ୍ ଗଣତି କରାଯିବ । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତିି ହୋଇଛି ।

ହାଇଭୋଲଟେଜ୍ ପ୍ରଚାର ଓ ଆରୋପ – ପ୍ରତ୍ୟାରୋପ ମଧ୍ୟରେ ଆଜି ମତଦାନ ହୋଇଥିଲା । ୬ଟି ପିଙ୍କ ବୁଥ୍ ସମେତ ମୋଟ ୩୧୯ଟି ବୁଥରେ ଭୋଟ ଗ୍ରହଣ କରାଯାଇଥିଲା । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟା ସୁଦ୍ଧା ଶେଷ ହେବାର ଥିଲେ ମଧ୍ୟ ଭୋଟରଙ୍କ ମଧ୍ୟରେ ଉତ୍ସାହ ଯୋଗୁ ମତଦାନ ପ୍ରାୟ ସାଢ଼େ ୬ଟା ପର୍ଯ୍ୟନ୍ତ ଜାରି ରହିଥିଲା । ତେବେ ଝାରବନ୍ଧ ବ୍ଲକର ୨ ନମ୍ବର ବୁଥରେ ଇଭିଏମ୍ ମେସିନ ଖରାପ ଯୋଗୁ ପ୍ରାୟ ୨ଘଣ୍ଟା ଧରି ମତଦାନ ବନ୍ଦ ରହିଥିଲା ।

ମାଓପ୍ରବଣ ଅଂଚଳରେ ମତଦାନକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ପୋଲିସ ପକ୍ଷରୁ ବାଇକ ପାଟ୍ରୋଲିଂ ଓ କମ୍ବିଂ ଅପରେସନ୍ ମଧ୍ୟ ହୋଇଥିଲା । ମୋଟ ୧୪୧୩ଜଣ ପୁଲିସ କର୍ମୀଙ୍କ ସମେତ ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ନିର୍ବାଚନ ସୁରକ୍ଷା କାର୍ଯ୍ୟରେ ମୁତୟନ କରାଯାଇଥିଲା ।

Comments are closed.