ବ୍ରହ୍ମପୁର ଆଇଟିଆଇ: ମୃଦୁପାନୀୟ ଠିପିରୁ ସୁନ୍ଦର କଳାକୃତି

ବ୍ରହ୍ମପୁର: ବେଷ୍ଟ ଫ୍ରମ୍ ୱେଷ୍ଟ ଚିନ୍ତାଧାରାକୁ ବ୍ୟାପକ ଭାବେ ନିଜ କାର୍ଯ୍ୟକ୍ଷେତ୍ରରେ ପ୍ରୟୋଗ କରି ଅନେକ ସଫଳତା ପାଇଛି ବ୍ରହ୍ମପୁରସ୍ଥିତ ସରକାରୀ ଆଇଟିଆଇ। ସେ କୋଭିଡ୍ ସମୟ ହେଉ ବା ସାଧାରଣ ସମୟ, ବିଭିନ୍ନ ସାମଗ୍ରୀରେ ଅନେକ ନିଆରା କଳାକୃତି ତିଆରି କରି ଆସୁଛନ୍ତି ଏହାର ପ୍ରଶିକ୍ଷାର୍ଥୀଗଣ। ଟାୟାର୍ ହେଉ ବା ଇଲେକଟ୍ରୋନିକ୍ସ ଆବର୍ଜନା ଅଥବା ଭଙ୍ଗା କୋଠା ଘରର ଲୁହା ବର୍ଜ୍ୟବସ୍ତୁ, ସେଥିରୁ ସୁନ୍ଦର ସୁନ୍ଦର କଳାକୃତି ନିର୍ମାଣ କରି ଜାତୀୟସ୍ତରରେ ମଧ୍ୟ ଚର୍ଚ୍ଚାକୁ ଆସିଛି ଏହି ଶିଳ୍ପ ତାଲିମ ଅନୁଷ୍ଠାନ। ସେହି କ୍ରମରେ ଏବେ ସମସ୍ତେ ଅଦରକାରୀ ଜିନିଷ ଭାବି ଫିଙ୍ଗି ଦେଉଥିବା କୋଲଡ୍ ଡ୍ରିଙ୍କ୍ ଠିପିରେ ତିଆରି କରିଛନ୍ତି ପେଚା, ପ୍ରଜାପତି, ମାଛ, ସପୁରୀ ଆଦି ସୁନ୍ଦର ଓ ଦର୍ଶନୀୟ କଳାକୃତି। ଏସବୁକୁ ଘରୋଇ ସାଜସଜ୍ଜାରେ ବ୍ୟବହାର ମଧ୍ୟ କରିହେବ।

ପ୍ରାୟ ଦୁଇ ହଜାରରୁ ଅଧିକ ମୃଦୁ ପାନୀୟ ବୋତଲର ଠିପି ବ୍ୟବହାର କରି ୪ ଫୁଟ ଉଚ୍ଚର ଏକ ପେଚା ଆକୃତି ନିର୍ମାଣ କରିଛନ୍ତି ଆଇଟିଆଇ ପ୍ରଶିକ୍ଷାର୍ଥୀଗଣ। ପ୍ରାୟ ସପ୍ତାହକ ମଧ୍ୟରେ ଏହି ବୈଷୟିକ ଶିକ୍ଷାନୁଷ୍ଠାନର ଇଲେକ୍ଟ୍ରିକାଲ ଓ ପେଣ୍ଟିଂ ଟ୍ରେଡ୍ ପ୍ରଶିକ୍ଷାର୍ଥୀମାନେ ଏଭଳି ନିଆରା କୌଶଳକୁ ବାସ୍ତବ ରୂପ ଦେବାରେ ସକ୍ଷମ ହୋଇଛନ୍ତି। ବ୍ରହ୍ମପୁର ଆଇଟିଆଇ ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀ କହିଛନ୍ତି ଯେ ଏସବୁ ସୁନ୍ଦର ଓ ନିଆରା କଳାକୃତି ଆଇଟିଆଇ କ୍ୟାମ୍ପସ୍‌ରେ ସ୍ଥାପନ କରାଯିବ। ଓପନ୍‌ ଏୟାର୍ ସ୍କ୍ରାପ୍ ମ୍ୟୁଜିୟମ୍‌ରେ ଏହାଦ୍ଵାରା ଆଉ ଏକ ଅଙ୍ଗ ସାମିଲ ହୋଇଯିବ।

Comments are closed.