୭୨ ବର୍ଷରେ ରଜନୀକାନ୍ତ: ବସ୍ କଣ୍ଡକ୍ଟରରୁ ସୁପରଷ୍ଟାର୍ | News Room Odisha

୭୨ ବର୍ଷରେ ରଜନୀକାନ୍ତ: ବସ୍ କଣ୍ଡକ୍ଟରରୁ ସୁପରଷ୍ଟାର୍

ସୁପରଷ୍ଟାର ରଜନୀକାନ୍ତ ଆଜି ୭୨ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ଏହି କିମ୍ବଦନ୍ତୀ ଅଭିନେତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।
ରଜନୀକାନ୍ତ ବାଙ୍ଗାଲୋରର ଏକ ମରାଠୀ ପରିବାରରେ ୧୨ ଡିସେମ୍ବର ୧୯୫୦ ରେ ଜନ୍ମ ଗ୍ରହଣ କରିଥିଲେ । ରଜନୀକାନ୍ତଙ୍କ ପ୍ରକୃତ ନାମ ହେଉଛି ଶିବାଜୀ ରାଓ ଗାଇକୱାଡ | ସେ ତାଙ୍କ ଜୀବନରେ ଅନେକ ଉତ୍ଥାନ-ପତନ ଦେଖିଛନ୍ତି | ଏହି ଅଭିନେତା ୪ ବର୍ଷ ବୟସରେ ତାଙ୍କ ମା’ଙ୍କୁ ହରାଇଥିଲେ। ତାଙ୍କ ପିତାଙ୍କ ନାମ ଜିଜାବାଇ ଏବଂ ମାତାଙ୍କ ରାମୋଜି ରାଓ | ଭାଇଭଉଣୀଙ୍କ ମଧ୍ୟରେ ଶିବାଜୀ ସବୁଠାରୁ ସାନ‌ ଥିଲେ | ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ଅଳ୍ପ ବୟସରେ କୁଲି ଓ କଣ୍ଡକ୍ଟର ଭାବେ କାମ କରିଥିଲେ | ବସ୍‌ରେ ଟିକେଟ୍ କାଟିବାର ନିଆରା ଷ୍ଟାଇଲ୍ ଯୋଗୁଁ ସେ ବେଶ୍ ଲୋକପ୍ରିୟ ହୋଇଥିଲେ।

ରଜନୀକାନ୍ତଙ୍କ ଅଭିନେତା ହେବାର ସ୍ୱପ୍ନକୁ ସାକାର୍ କରିବାରେ ତାଙ୍କ ବନ୍ଧୁ ରାଜ ବାହାଦୂର ବହୁତ ସହଯୋଗ କରିଥିଲେ । ସେ ଯେଉଁ ବସରେ କଣ୍ଡକ୍ଟର ଥିଲେ ସେହି ବସ୍‌ରେ ରାଜ ବାହାଦୂର ଡ୍ରାଇଭର ଥିଲେ। ସେ ତାଙ୍କୁ ମାଡ୍ରାସ ଫିଲ୍ମ ଇନଷ୍ଟିଚ୍ୟୁଟରେ ନାମ ଲେଖାଇବା ପାଇଁ ଉତ୍ସାହିତ କରିଥିଲେ | ଏହା କରିବା ତାଙ୍କ ପାଇଁ ବହୁତ କଷ୍ଟସାଧ୍ୟ ଥିଲା କାରଣ ପରିବାର ଦାୟିତ୍ୱ ତାଙ୍କ ଉପରେ ଥିଲା | କିନ୍ତୁ କୌଣସି ପ୍ରକାରେ ରଜନୀକାନ୍ତ ଆଗକୁ ଯାଇ ମାଡ୍ରାସ ଫିଲ୍ମ ଇନଷ୍ଟିଚ୍ୟୁଟରେ ଭର୍ତ୍ତି ହୋଇଥିଲେ। ସେ ଅଭିନୟ ଶିଖିବାବେଳେ ତାଙ୍କୁ ତାମିଲ ଭାଷା ମଧ୍ୟ ଶିଖିବାକୁ ପଡ଼ିଥିଲା । ଏହାରି ଭିତରେ ଚଳଚ୍ଚିତ୍ର ନିର୍ଦ୍ଦେଶକ କେ.ବାଲଚନ୍ଦ୍ରଙ୍କ ସହ ତାଙ୍କ ସାକ୍ଷାତ ହୋଇଥିଲା ​​ । ସେ ତାଙ୍କୁ ‘ଅପୂର୍ବା ରାଗନଙ୍ଗାଲ’ ଚଳଚ୍ଚିତ୍ରରେ କାମ କରିବାର ସୁଯୋଗ ଦେଇଥିଲେ। ଏଥିରେ ଅଭିନେତା କମଲ ହାସନ ଏବଂ ଶ୍ରୀବିଦ୍ୟା ତାଙ୍କ ସହ ଲିଡ୍ ରୋଲରେ ଥିଲେ। ଏହି ଚଳଚ୍ଚିତ୍ରରେ ରଜନୀକାନ୍ତ ଏକ ଛୋଟ ନେଗେଟିଭ୍ ଭୂମିକାରେ ଅଭିନୟ କରିଥିଲେ | କ୍ୟାରିୟରର ପ୍ରାରମ୍ଭିକ ଦିନରେ ସେ ୨-୩ ବର୍ଷ ଏହିପରି ନେଗେଟିଭ୍ ବା ଖଳ ଚରିତ୍ରରେ ଅଭିନୟ କଲେ | ହିରୋ ଭାବେ ରଜନୀକାନ୍ତଙ୍କ ପ୍ରଥମ ଫିଲ୍ମ ହେଉଛି ‘ଭୁବନ୍ ଓରୁ କେଲଭିକୁରୀ’। ଏଥିରେ ମୁଥୁରାମ ଏବଂ ରଜନୀକାନ୍ତଙ୍କ ଯୋଡିକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଉଭୟ ପ୍ରାୟ ୨୫ଟି ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ |

୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବିଲା’ ରଜନୀକାନ୍ତଙ୍କ କ୍ୟାରିୟରର ଟର୍ଣ୍ଣିଂ ପଏଣ୍ଟ ଥିଲ। ଏହା ବକ୍ସ ଅଫିସରେ ହିଟ୍ ହୋଇଥିଲା | ଏହି ଚଳଚ୍ଚିତ୍ରଟି ଅମିତାଭ ବଚ୍ଚନଙ୍କ ହିଟ୍ ଫିଲ୍ମ ‘ଡନ୍’ର ରିମେକ୍ ଥିଲା | ୧୯୮୨ ମସିହାରେ ପ୍ରଥମ ଥର ପାଇଁ ତାଙ୍କୁ ‘ମୁଣ୍ଡ୍ରୁ ମୁଗାମ’ ପାଇଁ ତାମିଲନାଡୁ ସରକାର ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରିଥିଲେ। ଏହା ପରେ ୧୯୯୫ ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବାଶା’ରୁ ରଜନୀକାନ୍ତ ସୁପରଷ୍ଟାର ବନିଥିଲେ। ଏହାଛଡ଼ା ଚଳଚ୍ଚିତ୍ର ‘ଶିବାଜୀ’ ତାଙ୍କର ପ୍ରଥମ ହିନ୍ଦୀ ଡବ୍ ଫିଲ୍ମ ଥିଲା ଯାହା ସମସ୍ତ ରେକର୍ଡ ଭାଙ୍ଗିଥିଲା ​​ । ଏହା ବ୍ରିଟେନ ଏବଂ ଦକ୍ଷିଣ ଆଫ୍ରିକାରେ ମଧ୍ୟ ମୁକ୍ତିଲାଭ କରିବା ସହ ଭଲ ବ୍ୟବସାୟ ବି କରିଥିଲା ​​| ରଜନୀକାନ୍ତ ୧୦ ବର୍ଷର କ୍ୟାରିୟରରେ ୧୦୦ ରୁ ଅଧିକ ଫିଲ୍ମ କରିବାର ରେକର୍ଡ ମଧ୍ୟ କରିଛନ୍ତି ।

କେବଳ ଏତିକି ନୁହେଁ, ରଜନୀକାନ୍ତ ତାମିଲ, ହିନ୍ଦୀ, ମାଲାୟାଲମ୍, କନ୍ନଡ, ତେଲୁଗୁ ଏବଂ ବଙ୍ଗାଳୀ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ତାଙ୍କ ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଥିଲା ‘ଅନ୍ଧା କାନୁନ’ । ଚଳଚ୍ଚିତ୍ର ଜଗତକୁ ଅବଦାନ ପାଇଁ ଏହି କିମ୍ବଦନ୍ତୀ ଅଭିନେତା ଦେଶର ଦ୍ବିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୂଷଣ ସହ ‘ଦାଦା ସାହେବ ଫାଲକେ’ ଭଳି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।