ଆଇନଜୀବୀଙ୍କ ଆନ୍ଦୋଳନ ନେଇ ଆହୁରି କଠୋର ହେଲେ ସୁପ୍ରିମକୋର୍ଟ | News Room Odisha

ଆଇନଜୀବୀଙ୍କ ଆନ୍ଦୋଳନ ନେଇ ଆହୁରି କଠୋର ହେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ – ତାଗିଦ ସତ୍ତ୍ୱେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁରରେ ଆଇନଜୀବୀଙ୍କ ଆନ୍ଦୋଳନ ଜାରି ରହିଥିବାରୁ କ୍ଷୁବ୍ଧ ହୋଇଛନ୍ତି ସୁପ୍ରିମକୋର୍ଟ । ଆଜି ଏହି ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ସୁପ୍ରିମକୋର୍ଟ ଆସନ୍ତା ବୁଧବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶା ଡିଜିପି ଏବଂ ସମ୍ବଲପୁର ଆଇଜିଙ୍କୁ ହାଜର ହେବାକୁ କହିଛନ୍ତି। କୋର୍ଟର କାର୍ଯ୍ୟକାରିତା ନିଶ୍ଚିତ କରିବାକୁ ସେମାନଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡିକ ଦର୍ଶାନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ମଧ୍ୟ ପୋଲିସର ବିଫଳତା ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଯଦି ପୋଲିସ ଆନ୍ଦୋଳନକୁ ରୋକିବାରେ ଅସମର୍ଥ ତେବେ ଆମେ ଓଡିଶାରେ କୋର୍ଟର କାର୍ଯ୍ୟକାରିତା ନିଶ୍ଚିତ କରିବାକୁ ପାରାମିଲିଟାରୀ ନିୟୋଜିତ କରିବୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ପୂର୍ବରୁ ନଭେମ୍ବର ୨୮ ତାରିଖରେ ଆନ୍ଦୋଳନ ନେଇ କଡ଼ା ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଲାଇସେନ୍ସ ସସ୍‌ପେଣ୍ଡ କରିବା ପାଇଁ ବାର୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଥିଲେ । ଆନ୍ଦୋଳନରତ ଓକିଲଙ୍କୁ ଆବଶ୍ୟକ ହେଲେ ଗିରଫ କରିବାକୁ କହିଥିଲେ । କେବଳ ଏତିକି ନୁହେଁ, ନ୍ୟାୟିକ ଅଧିକାରୀ ଓ ମହକିଲ ମାନଙ୍କୁ ବି ସୁରକ୍ଷା ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।