କୋଣାର୍କ ସୂର୍ଯ୍ୟ ମନ୍ଦିରରେ ବନ୍ଦ ହେଲା ଏଲଇଡି ଲାଇଟ | News Room Odisha

କୋଣାର୍କ ସୂର୍ଯ୍ୟ ମନ୍ଦିରରେ ବନ୍ଦ ହେଲା ଏଲଇଡି ଲାଇଟ

କୋଣାର୍କ – ସୌନ୍ଦର୍ଯ୍ୟ ନଷ୍ଟ ହେଉଥିବା ନେଇ ଅଭିଯୋଗ ପରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଏଲ୍ଇଡି ଲାଇଟ୍ ବନ୍ଦ ହୋଇଛି । ଭାରତୀୟ ପ୍ରତ୍ନତାତ୍ବିକ ସର୍ବେକ୍ଷଣ ସଂସ୍ଥା- ଏଏସଆଇର ଅଧିକ୍ଷକଙ୍କ ନିର୍ଦ୍ଦେଶ ପରେ ବନ୍ଦ ହେଲା ଏଲ୍ଇଡି ଲାଇଟ୍‌। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବିରୋଧ ପରେ ଏଲ୍ଇଡି ଲାଇଟ୍ ବନ୍ଦ ହୋଇଛି ।

ଆଲୋକୀକରଣ ନାଁରେ ଏହି ପ୍ରାଚୀନ ଐତିହ୍ୟକୁ ଏଏସଆଇ ବିକୃତ କରିଥିବା ଅଭିଯୋଗ ଆଣି ଟ୍ୱିଟ୍‌ କରିଥିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଏହା ପରେ ଏଏସ୍‌ଆଇ ପୁରୀ ସର୍କଲ ସୁପରିଟେଣ୍ଡେଣ୍ଟ ଡି.ବି. ଗଡନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ସୂର୍ଯ୍ୟମନ୍ଦିର ବିଭିନ୍ନ ପୀଢରେ ଧାଡି ଧାଡି ହୋଇ ଲାଗିଥିବା ଏଲ୍‌ଇଡି ଲାଇଟ୍‌କୁ ବନ୍ଦ ରଖାଯାଇଛି। ଆଲୋକୀକରଣ ପାଇଁ ବିଭିନ୍ନ ପୀଢରେ ଧାଡି ଧାଡି କରି ଲଗାଯାଇଥିବା ଲାଇଟକୁ ଯାତ୍ରା ପାର୍ଟି ଲାଇଟ୍‌ ସହ ତୁଳନା କରିଥିଲେ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।

ଆଲୋକୀକରଣ ମାଧ୍ୟମରେ ମନ୍ଦିରର ସୌନ୍ଦର୍ଯ୍ୟକରଣକୁ ଦ୍ୱିଗୁଣିତ କରାଯାଉ। ହେଲେ ଧାଡି ଧାଡି ହୋଇ ଲାଗିଥିବା ଲାଇଟ୍‌ ମନ୍ଦିର ଗର୍ତ୍ତର କଳା କୃତିର କଳାତ୍ମକ ଭାବକୁ କ୍ଷୁର୍ଣ୍ଣ କରିଥିବା ସୁଦର୍ଶନ ଅଭିଯୋଗ ଆଣିଥିଲେ।

ସୁଦର୍ଶନଙ୍କ ଅଭିଯୋଗକୁ ସମର୍ଥନ ଜଣାଇଥିଲା କୋଣାର୍କ ସୁରକ୍ଷା ସମିତି। ମନ୍ଦିର ଗର୍ତ୍ତରେ ଲାଗିଥିବା ଏହି ଲାଇଟର ଅପସାରଣ ପାଇଁ ଦାବି କରିଥିଲା ସମିତି ।